ମୁମ୍ବାଇ: କୋରୋନାରେ ଚାଲିଗଲା ବଲିଉଡ ଓ ମରାଠୀ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା କିଶୋର ନନ୍ଦଲାସ୍କରଙ୍କ ଜୀବନ । ମଙ୍ଗଳବାର ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଥିଲା । 81 ବର୍ଷରେ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଗଲେ ଅଭିନେତା ।
କୁହାଯାଉଛି ଯେ ସେ ଅପରାହ୍ନ 12.30ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। କୋରୋନା ସଂକ୍ରମଣରେ ଆକ୍ରାନ୍ତ ହେବା ପରେ ତାଙ୍କୁ ମୁମ୍ବାଇର ଥାଣେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ କୋରୋନା ଯୁଦ୍ଧରେ ହାରିଗଲେ ସେ ।
ତାଙ୍କ ମୃତ୍ୟୁ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି ଲୋକପ୍ରିୟ ଅଭିନେତା ଗୋବିନ୍ଦା । ସେ ଗୋବିନ୍ଦାଙ୍କ ସହ 2000 ମସିହାରେ ଆସିଥିବା ଚର୍ଚ୍ଚିତ ଫିଲ୍ମ ‘ଜିସ୍ ଦେଶ ମେଁ ଗଙ୍ଗା ରହେତା ହେ’ରେ ସନ୍ନାଟା ଭୂମିକାରେ ଅଭିନୟ କରିଥିଲେ।
ସେହିପରି ଗୋବିନ୍ଦା ଶୋକ ପ୍ରକାଶ କରି କହିଛନ୍ତି, ‘ଏହିପରି ଜଣେ ଦକ୍ଷ ଅଭିନେତାଙ୍କ ଦେହାନ୍ତ ବିଷୟରେ ଶୁଣି ବହୁତ ଦୁଃଖିତ । ତାଙ୍କ ପରିବାର ପ୍ରତି ମୋର ସମବେଦନା ।’ ଗୋବିନ୍ଦାଙ୍କ ବ୍ୟତୀତ ଅନ୍ୟ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ବର୍ତ୍ତମାନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ଲାଗିଛନ୍ତି ।
ପ୍ରକାଶ ଥାଉକି କିଶୋର 1989ରେ ଆସିଥିବା ମରାଠୀ ଫିଲ୍ମ ‘ଇନା ମୀନା ଡିକା’ ଜରିଆରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ‘ବାସ୍ତବ’, ‘ଖାକି’ ଓ ‘ସିଂଘମ’ ଭଳି ହିନ୍ଦୀ ଫିଲ୍ମରେ ଦମଦାର ଅଭିନୟ କରି ସମସ୍ତଙ୍କ ମନ କିଣିଥିଲେ ।