ମୁମ୍ବାଇ: ବିବାଦ ଘେରରେ ବି-ଟାଉନର ବିଶିଷ୍ଟ ଅଭିନେତା ଗୋବିନ୍ଦା ଓ ଜ୍ୟାକି ଶ୍ରଫ । ବିଜ୍ଞାପନ କରିବା ପଡିଲା ମହଙ୍ଗା । ଏବେ ଗଣିବେ 20 ହଜାର ଟଙ୍କା ଜୋରିମାନା । ଆଜ୍ଞା ହଁ, ଦୁଇ ଅଭିନେତା ଯନ୍ତ୍ରଣା ନିବାରଣ ତେଲର ସମର୍ଥନ କରିବା ସହ ଏହାର ବିଜ୍ଞାପନ କରୁଥିବାକୁ ଆଧାର କରି ମୁଜାଫରନଗରର ଖାଉଟି ଅଦାଲତ ଏହି ଦୁଇ ଅଭିନେତାଙ୍କ ଉପରେ 20 ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି । ଏହାସହ ଏହି ତେଲ ତିଆରି କରୁଥିବା କମ୍ପାନୀ ମଧ୍ୟ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଥାଉକି 5 ବର୍ଷ ପୂର୍ବେ ଏକ ହର୍ବଲ ଅୟଲ କମ୍ପାନୀ ଏବଂ ଏହାର ଆମ୍ବାସଡର ଗୋବିନ୍ଦା ଓ ଜ୍ୟାକିଙ୍କ ବିରୋଧରେ ଏକ ଯୁବପିଢି ସଙ୍ଗଠନ କୋର୍ଟରେ ଅଭିଯୋଗ ଦାଖଲ କରିଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଅଭିନେତାଙ୍କ ଦ୍ବାରା ସମର୍ଥନ କରାଯାଉଥିବା ଏହି ତେଲ 15 ଦିନ ମଧ୍ୟରେ ଯନ୍ତ୍ରଣାରୁ ମୁକ୍ତି ଦେଉନାହିଁ ହେଲେ ସେମାନେ ବିଜ୍ଞାପନରେ ଦାବି କରୁଛନ୍ତି ଯେ ମାତ୍ର 15 ଦିନ ମଧ୍ୟରେ ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବ।
ବିଜ୍ଞାପନ ଦେଖି 2012ରେ ମୁଜାଫରନଗର ଜଣେ ଓକିଲ ଅଭିନବ ଅଗ୍ରୱାଲ ନିଜ ପିତା ବ୍ରିଜଭୂଷଣ ଅଗ୍ରୱାଲଙ୍କ ପାଇଁ ଏହି ତେଲ 3600 ଟଙ୍କାରେ କିଣିଥିଲେ। ଆଉ ଏହାର ବିଜ୍ଞାପନରେ ଲେଖାଯାଇଥିଲା ଯଦି ଯନ୍ତ୍ରଣା ଦୂର ନହୁଏ ତେବେ ସବୁ ଟଙ୍କା ଫେରସ୍ତ ପାଇବେ ।
ପ୍ରାୟ 10 ଦିନ ବ୍ୟବହାର ପରେ ମଧ୍ୟ ତାଙ୍କ ପିତାଙ୍କ ଯନ୍ତ୍ରଣା କମି ନଥିଲା । ଏହାପରେ ଅଭିନବ ମଧ୍ୟ ପ୍ରଦେଶର ସେହି କମ୍ପାନୀ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ଯିଏ ଖବର କାଗଜରେ ଏହାର ବିଜ୍ଞାପନ କରିଥିଲେ । ଅନେକ ଥର ସମ୍ପର୍କ କରିବା ସତ୍ତ୍ବେ ଅଭିନବ ନିଜ ଟଙ୍କା ଫେରି ପାଇନଥିଲେ । ଆଉ ଗୋବିନ୍ଦା ଓ ଜ୍ୟାକି ଭଳି କଳାକାର ଏହି କମ୍ପାନୀର ବିଜ୍ଞାପନ କରୁଛନ୍ତି ଯାହା ଜନସାଧାରଣଙ୍କ ସହ ଠକାମୀ କରୁଛି । ତେଣୁ ସେ କମ୍ପାନୀ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ।
ବର୍ତ୍ତମାନ ଏହି ମାମଲାରେ ଖାଉଟି ଅଦାଲତ ସେହି କମ୍ପାନୀ, ଗୋବିନ୍ଦା, ଜ୍ୟାକି, ଟେଲିସ୍ମାର୍ଟ ସପିଂ ନେଟୱାର୍କ ପିଭିଟି ଲିମିଟେଡ ଏବଂ ମ୍ୟାକ କମ୍ୟୁନିକେସନ ବିରୋଧରେ 20 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜୋରିମାନା ସେହି ବ୍ୟକ୍ତିଙ୍କୁ ଦିଆଯିବ ଯିଏ ତେଲ କିଣି ଫସିଥିଲେ। ଏହା ସହ ଆଦେଶ ଦିଆଯାଇଛି ଯେ ଅନ୍ୟ ଆଇନ ଖର୍ଚ୍ଚ ସହ ଅଭିନବଙ୍କୁ ପ୍ରତି ବର୍ଷ ହିସାବରେ 9 ପ୍ରତିଶତ ସୁଧ ସହ 3600 ଟଙ୍କା ଜୋରିମାନା ଦିଆଯିବ।