ମୁମ୍ବାଇ: ଲୋକପ୍ରିୟ ନିର୍ମାତା, ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାଁରେ ଦୁଇଟି ଏଫଆଇଆର ରୁଜୁ କରାଯାଇଛି । ନିକଟରେ ତାଙ୍କର ରିଲିଜ ହୋଇଥିବା ପପୁଲାର ‘ସେକ୍ରେଡ ଗେମ୍ସ 2’ର ଗୋଟିଏ ସିନକୁ ନେଇ ବିବାଦ ସୃଷ୍ଟି ହୋଇଛି । ସିନ ଉପରେ ଆପତ୍ତି ପ୍ରକାଶ କରି ବିଜେପିର ଦିଲ୍ଲୀ ମୁଖପାତ୍ର ତାଜିନ୍ଦର ପାଲ ସିଂ ବଗ୍ଗା ଏକ ମାମଲା ରୁଜୁ କରିଛନ୍ତି । ଏହାସହ ଅକାଳି ଦଳ ନେତା ତଥା ଦିଲ୍ଲୀର ରାଜୋରୀ ଗାର୍ଡେନ ବିଧାୟକ ମଞ୍ଜିନ୍ଦର ସିଂ ସିରସା ମଧ୍ୟ ଏକ ମାମଲା ରୁଜୁ କରିଛନ୍ତି ।
ଅନୁରାଗ କଶ୍ୟପ ନିଜ ୱେବ ସିରିଜ ସେକ୍ରେଡ ଗେମ୍ସ 2ରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ନେଇ ମାମଲାରେ ଉଲ୍ଲେଖ ହୋଇଛି ।
ପ୍ରକାଶ ଥାଉକି ‘ସେକ୍ରେଡ ଗେମ୍ସ’ରେ ପଞ୍ଜାବୀ ସରତାଜ ଭୂମିକାରେ ଅଭିନୟ କରୁଥିବା ସୈଫ ଅଲ୍ଲୀ ଖାନ ଦାୟିତ୍ବରୁ ଚିନ୍ତିତ ହୋଇ ହାତରେ ପିନ୍ଧିଥିବା କଡା ବାହାର କରି ଫୋପାଡି ଦେଇଛନ୍ତି ଯାହାକୁ ବିଜେପି ଏବଂ ଅକାଳି ଦଳ ନେତା ଧର୍ମ ବିରୋଧ କହିଛନ୍ତି । ଏହା ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ସେମାନେ ଅଭିଯୋଗ ଆଣିଛନ୍ତି ।