ମୁମ୍ବାଇ: ନିକଟରେ ଫେମସ ନିର୍ଦ୍ଦେଶକ ତଥା ନିର୍ମାତା ଅନୁରାଗ କଶ୍ୟପଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଏଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇସାରିଛି। ତେବେ ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି ବୋଲି କହିଛନ୍ତି ତାଙ୍କ ମୁଖପାତ୍ର ।
ଏକ ରିପୋର୍ଟ ଅନୁଯାୟୀ ଗତ ସପ୍ତାହରେ ଅନୁରାଗ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ଯାହାପରେ ସେ ପରୀକ୍ଷା କରାଇଥିଲେ । ରିପୋର୍ଟରେ ତାଙ୍କ ହୃଦୟରେ ବ୍ଲକେଜ୍ ଥିବା କଥା ସାମ୍ନାକୁ ଆସିଥିଲା । ଯାହା ପରେ ଡାକ୍ତର ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ।
ସେହିପରି 48 ବର୍ଷୀୟ ଅନୁରାଗଙ୍କ ମୁଖପାତ୍ର କହିଛନ୍ତି ଯେ ତାଙ୍କର ସର୍ଜରୀ କରାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି। ଡାକ୍ତର ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଯାହାପରେ ସେ କାମ କରିବାକୁ ସକ୍ଷମ ହେବେ ।
ପ୍ରକାଶ ଥାଉକି ନିକଟରେ ଅନୁରାଗ ତାପସୀ ପନ୍ନୁଙ୍କ ସହ ନିଜର ଆଗାମୀ ଫିଲ୍ମ ‘ଦୋବାରା’ର ସୁଟିଂ ଶେଷ କରିଥିଲେ । ଏହା ଏକ ଆକ୍ସନ, ଥ୍ରିଲର ଫିଲ୍ମ । ତାପସୀଙ୍କ ସହ ଫିଲ୍ମରେ ନଜର ଆସିବେ ତାଙ୍କ ‘ଥାପଡ’ କୋ-ଷ୍ଟାର ପାବେଲ ଗୁଲାଟି ।