ନୂଆଦିଲ୍ଲୀ: ଚୀନରେ ଶୁକ୍ରବାର ଶ୍ରୀଦେବୀଙ୍କ ଶେଷ ଫିଲ୍ମ 'ମମ' ରିଲିଜ ହୋଇଯାଇଛି । ଫିଲ୍ମ ରିଲିଜକୁ ନେଇ ଭାବୁକ ନଜର ଆସିଲେ ଶ୍ରୀଦେବୀଙ୍କ ସ୍ବାମୀ ତଥା ଫିଲ୍ମ ନିର୍ମାତା ବୋନି କପୁର । ଏହି ଅବସରରେ ବୋନି ଇମୋସନାଲ ହୋଇ ସୋସିଆଲ ମିଡିଆରେ ନିଜ ହୃଦୟ କଥା ସବୁ ବଖାଣିଛନ୍ତି । ତାଙ୍କର ଏହି ଛୋଟ ପୋଷ୍ଟ ଶ୍ରୀଦେବୀଙ୍କ ଫ୍ୟାନ୍ସଙ୍କ ଆଖିରେ ନିହାତି ଲୁହ ଆଣି ଦେବ ।
ସେ ଶୁକ୍ରବାର ଟ୍ବିଟ କରି ଲେଖିଛନ୍ତି, "ଆଜି ଚୀନରେ 'ମମ' ରିଲିଜ ହୋଇଛି । ମୋ ପାଇଁ ଏହା ଭାବନାତ୍ମକ ସମୟ ଠାରୁ କମ ନୁହେଁ । ଶ୍ରୀଦେବୀଙ୍କ ଶେଷ ଫିଲ୍ମକୁ ବିଦେଶୀ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଜି ଷ୍ଟୁଡିଓକୁ ଅନେକ ଅନେକ ଧନ୍ୟବାଦ । ଆଶା କରୁଛି କି ସେଠାରେ ମଧ୍ୟ ଦର୍ଶକ ଶ୍ରୀଙ୍କ ଫିଲ୍ମକୁ ଖୁବ୍ ପସନ୍ଦ କରିବେ "।
ରବି ଉଦୟଭରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରୀଦେବୀ ଜଣେ ମା' ଭୂମିକାରେ ନଜର ଆସିଥିଲେ । ଯିଏ ନିଜ ସାବତ ଝିଅକୁ ନ୍ୟାୟ ଦେବା ପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇଛନ୍ତି । ପ୍ରକାଶ ଥାଉକି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲୀ, ଶ୍ରୀଦେବୀଙ୍କ ଝିଅ ଭୂମିକାରେ ନଜର ଆସିଥିଲେ ।
ଏହାସହ ଶ୍ରୀଦେବୀଙ୍କୁ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ରୂପେ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ଫିଲ୍ମଟି ବର୍ତ୍ତମାନ ସୁଦ୍ଧା 40ଟି ଦେଶରେ ରିଲିଜ ହୋଇସାରିଲାଣି । ଏହି ଦେଶ ଗୁଡିକ ମଧ୍ୟରେ ପୋଲାଣ୍ଡ, ଋଷ, ବ୍ରିଟେନ, ଆମେରିକା, ସିଙ୍ଗାପୁର ଏବଂ ଚେକ ରପବ୍ଲିକ ସାମିଲ ଅଛି ।