ମୁମ୍ବାଇ: ବି-ଟାଉନର ଆନ୍ନା ସୁନୀଲ ସେଟ୍ଟୀ ସବୁବେଳେ ନିଜ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମନ କିଣିଥାଆନ୍ତି । ତାଙ୍କ ଆକ୍ସନ ଷ୍ଟଣ୍ଟରେ ମଧ୍ୟ ଫିଦା ସମସ୍ତେ । ସେ ନିଜ ଫିଲ୍ମ କ୍ୟାରିୟରରେ ବଲିଉଡକୁ ଦେଇସାରିଲେଣି ଅନେକ ସୁପରହିଟ୍ ଫିଲ୍ମ । ଆଜି ଲୋକପ୍ରିୟ ଅଭିନେତାଙ୍କ 59ତମ ଜନ୍ମଦିନ । ସେ 1961 ଅଗଷ୍ଟ 11ରେ ମୈସୁରରେ ଜନ୍ମ ହୋଇଥିଲେ । ସେ ଆକ୍ସନ ବ୍ୟତୀତ କମେଡିରେ ଦର୍ଶକଙ୍କୁ ଖୁବ୍ ହସାଇଛନ୍ତି । ଫିଲ୍ମ ବ୍ୟତୀତ ସେ ସବୁବେଳେ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି । 59 ବର୍ଷରେ ମଧ୍ୟ ସେ ଏତେ ଫିଟ୍ ନଜର ଆସୁଛନ୍ତି । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ତାଙ୍କ ଫିଟ୍ ରହିବାର କାରଣ ହେଲା ସେ ଜଣେ ଫିଟନେସ ଫ୍ରି ବ୍ୟକ୍ତି । ଯେବେ ମଧ୍ୟ ସମୟ ପାଆନ୍ତି ସେ ୱାର୍କଆଉଟରେ ମାତି ଯାଆନ୍ତି ।
ଏହି କାରଣ ପାଇଁ ସେ ଯୁବ ଆକ୍ଟରଙ୍କୁ କଡା ଟକ୍କର ଦେଇ ପାରୁଛନ୍ତି । ସେ କେବେ ମଧ୍ୟ ୱାର୍କଆଉଟ କରିବା ଭୁଲନ୍ତି ନାହିଁ । ହେଲେ ତାଙ୍କ ଜନ୍ମଦିନ ଅବସରେ ନଜର ପକାଇବା ତାଙ୍କ ଫିଲ୍ମ କ୍ୟାରିୟର ଉପରେ...
90 ଦଶର ଫେମସ ଆକ୍ଟର ରୂପେ ଗଣା ଯାଉଥିବା ସୁନୀଲ ଜଣେ ଶାନଦାର ବିଜନେସମ୍ୟାନ ମଧ୍ୟ । ଏକ ଫଟୋସୁଟ ଦମରେ ସୁନୀଲଙ୍କୁ ଫିଲ୍ମ ‘ବଲୱାନ’ ଅଫର ହୋଇଥିଲା । ଯାହା ତାଙ୍କ ଡେବ୍ୟୁ ଫିଲ୍ମ ଥିଲା । ସେହି ସମୟର ଫେମସ ଅଭିନେତ୍ରୀ ସୁନୀଲଙ୍କ ସହ କାମ କରିବାକୁ ମନା କରିଦେଇଥିଲେ । ପରେ ସ୍ବର୍ଗୀୟ ଅଭିନେତ୍ରୀ ଦିବ୍ୟା ଭାରତୀ ଫିଲ୍ମରେ ସୁନୀଲଙ୍କ ସହ ରୋମାନ୍ସ କରିଥିଲେ ।
ଫିଲ୍ମରେ ତାଙ୍କ ଫିଗର ଦେଖି ଦର୍ଶକ ତାଙ୍କୁ ଫଲୋ କରିବା ଆରମ୍ଭ କରିଥିଲେ । ସେହିପରି ତାଙ୍କ ଦ୍ବିତୀୟ ଫିଲ୍ମ ‘ୱକ୍ତ ହମାରା ହେ’। ଯାହାକୁ ନିର୍ମାଣ କରିଥିଲେ ସାଜିଦ ନାଦିୟାଦୱାଲା । ଏହି ଫିଲ୍ମଟି 1993ରେ ରିଲିଜ ହୋଇଥିଲା ।
ଏହି ମଲ୍ଟି ଷ୍ଟାରର ଫିଲ୍ମରେ ସୁନୀଲଙ୍କ ସହ ଖିଲାଡି ଅକ୍ଷୟ କୁମାର ମଧ୍ୟ ନଜର ଆସିଥିଲେ । ସବୁଠୁ ଖାସ୍ କଥା ହେଲା ଯେ ଏହି ଫିଲ୍ମ ପରେ ସୁନୀଲ 30ଟି ଫିଲ୍ମରେ ସାଇନ କରିଥିଲେ । ସେହିପରି ସେ ଏଯାବତ 120 ଫିଲ୍ମରେ ଅଭିନୟ କରିସାରିଛନ୍ତି ।
ପ୍ରକାଶ ଥାଉକି ସୁନୀଲ ବଲିଉଡକୁ ଆସିବା ପୂର୍ବରୁ ବିବାହ କରିସାରିଥିଲେ । ତାଙ୍କ ପତ୍ନୀଙ୍କ ନାମ ମାନା । ପାଖାପାଖି 9 ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।