ମୁମ୍ବାଇ: ବହୁତ କମ ଦିନରେ ବଲିଉଡ ମେକର୍ସ ଓ ଫିମେଲ ଫ୍ୟାନ୍ସଙ୍କ ଫେଭରେଟ ସାଜିଛନ୍ତି କାର୍ତ୍ତିକ ଆର୍ୟନ । ଯେବେ ମଧ୍ୟ ସେ କୌଣସି ଫିଲ୍ମରେ ଅଭିନୟ କରୁଛନ୍ତି ତାହା ଦର୍ଶକଙ୍କ ମନ କିଣିବାରେ ସଫଳ ହେଉଛି । ବି-ଟାଉନର ଏହି କ୍ୟୁଟ ଆକ୍ଟରଙ୍କ ଆଜି 29ତମ ଜନ୍ମଦିନ । 1990 ନଭେମ୍ବର 22ରେ ଗ୍ବାଲିଅରରେ ଜନ୍ମ ଗ୍ରହଣ କରିଥିଲେ କାର୍ତ୍ତିକ । ସେ ବଲିଉଡରେରେ ସ୍ବତନ୍ତ୍ର ସ୍ଥାନ ନିଜ ଅଭିନୟ ବଳରେ ସ୍ଥାପନ କରିଛନ୍ତି । କାରଣ ସେ କୌଣସି ଷ୍ଟାର କିଡ ନୁହେଁ । ଯାହା ବି ଆଜି ସେ ବଲିଉଡରେ ହୋଇପାରିଛନ୍ତି କେବଳ ନିଜ କଠିନ ପରିଶ୍ରମ ଜରିଆରେ ।
କମେଡି ଫିଲ୍ମ ‘ପ୍ୟାର କା ପଞ୍ଚନାମା’ରୁ ଲୋକପ୍ରିୟ ହୋଇଥିବା କାର୍ତ୍ତିକଙ୍କ ପୁରା ନାମ କାର୍ତ୍ତିକ ତିୱାରୀ । ପରେ ସେ ନିଜ ସରନେମ ପରିବର୍ତ୍ତନ କରି ଆର୍ୟନ କରିଦେଇଥିଲେ । ତାଙ୍କ ମାତା-ପିତା ପେଷାରେ ଡାକ୍ତର । କାର୍ତ୍ତିକ ମୁମ୍ବାଇ ଦ ବୟ କଲେଜ ଅଫ ଇଞ୍ଜନିୟରିଂରୁ ବାୟୋ-ଟେକ୍ନୋଲୋଜିରେ ଡିଗ୍ରୀ ହାସଲ କରିଥିଲେ । ଫିଲ୍ମ ‘ପ୍ୟାର କା ପଞ୍ଚନାମା’ ତାଙ୍କ ଡେବ୍ୟୁ ଫିଲ୍ମ ଥିଲା । 2011ରେ ରିଲିଜ ହୋଇଥିବା ଏହି ମଲ୍ଟି ଷ୍ଟାରର ଫିଲ୍ମ ହିଟ୍ ସାବ୍ୟସ୍ତ ମଧ୍ୟ ହୋଇଥିଲା ।
ମୁମ୍ବାଇ ଆସି ଇଞ୍ଜିନିୟରିଂ କରିବା କାର୍ତ୍ତିକଙ୍କ ସ୍ବପ୍ନ ନଥିଲା । ଅଭିନୟରେ ନିଜ କ୍ୟାରିୟର ଗଢିବା ଲକ୍ଷ୍ୟ ନେଇ ସେ ମୁମ୍ବାଇ ଆସିଥିଲେ । କଲେଜ ସମୟରୁ ସେ ମଡେଲିଂ ଆରମ୍ଭ କରିଦେଇଥିଲେ । କ୍ଲାସ ବନ୍ଦ କରି ସେ ଅଡିଶନ ଦେବାକୁ ବାହାରି ଯାଉଥିଲେ । ସେହି ସମୟରେ ସେ ମୁମ୍ବାଇର ଅନେକ ଷ୍ଟୁଡିଓର ଚକ୍କର ମଧ୍ୟ କାଟିଥିଲେ ।
ଏହାପରେ ସେ ଆକ୍ଟିଂ ସ୍କୁଲରେ ଅଭିନୟ ଶିଖିଥିଲେ । 2011ରେ ତାଙ୍କୁ ଲୋକପ୍ରିୟ ନିର୍ମାତା ଲଭ ରଞ୍ଜନଙ୍କ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଯାହାପରେ ସେ ଆଉ ପଛକୁ ବୁଲି ଦେଖିନଥିଲେ । ଫିଲ୍ମ ‘ପ୍ୟାର କା ପଞ୍ଚନାମା 2’, ‘ସୋନୁ କେ ଟିଟୁ କି ସ୍ବିଟୀ’ ଏବଂ ‘ଲୁକା-ଛୁପି’ ଫିଲ୍ମରେ ଖୁବ୍ ସଫଳତା ମିଳିଥିଲା ।
ସଂଘର୍ଷ ସମୟରେ ଜଣେ ନିର୍ଦ୍ଦେଶକ ତାଙ୍କୁ କହିଥିଲେ କି ତୁମର କିଛି ହୋଇପାରିବ ନାହିଁ । ତୁମକୁ ବିଜ୍ଞାପନ କିମ୍ବା ଧାରାବାହିକରେ ମଧ୍ୟ କାମ ମିଳିବ ନାହିଁ । ଏହି କଥାର ଖୁଲାସା କାର୍ତ୍ତିକ ଏକ ସାକ୍ଷାତକାରରେ କରିଥିଲେ । ସବୁଠୁ ମଜାଦାର ଥିଲା ତାଙ୍କ ପ୍ରଥମ ଫିଲ୍ମ ଦେଖିସାରିବା ପରେ ସେହି ନିର୍ଦ୍ଦେଶକ ତାଙ୍କୁ କ୍ଷମା ମାଗିଥିଲେ ।
ବର୍ତ୍ତମାନ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଅଛି । ଏହି କ୍ରମରେ ରହିଛି ‘ଭୁଲ ଭୁଲୈୟା 2’, ‘ ଲଭ ଆଜକଲ 2’, ‘ଦୋସ୍ତାନା-2’ । ଡିସେମ୍ବର 6ରେ ରିଲିଜ ହେବାକୁ ଯାଉଛି ତାଙ୍କ ଅପକମିଂ ଫିଲ୍ମ ‘ପତି ପତ୍ନୀ ଔର ୱ’ । ଫିଲ୍ମରେ ସେ ଭୂମି ପେଦନେକର ଓ ଅନନ୍ୟା ପାଣ୍ଡେଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ।