ମୁମ୍ବାଇ: 'ବିଗ ବି ସୋ ବିଗ ହାର୍ଟ ବା ବିଗ ବି ବିଶାଳ ହୃଦୟ ଦେଖାଅ' ଲେଖାଥିବା ବ୍ୟାନର ଅମିତାଭ ବଚ୍ଚନଙ୍କ ବାସଭବନ ବାହାରେ ଦେଖିବାକୁ ମିଳିଛି । ଏଭଳି ବ୍ୟାନର ମହାରାଷ୍ଟ୍ର ନବନିର୍ମାଣ ସେନା ଲଗାଇଥିବା ସୂଚନା ମିଳିଛି ।
ଅମିତାଭଙ୍କ ଘରର କାନ୍ଥ ଭାଙ୍ଗି ରାସ୍ତା ବଢାଇବା ପାଇଁ ଦାବି କରି ଏଭଳି ବ୍ୟାନର ସେନାର ସଦସ୍ୟମାନେ ଲଗାଇଥିବା ଜଣାପଡିଛି । ଅମିତାଭଙ୍କ କମ୍ପାଉଣ୍ଡର ଏହି କାନ୍ଥ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏଥିଲାଗି ସେନା ପକ୍ଷରୁ ଏଭଳି ଢଙ୍ଗରେ ଅମିତାଭଙ୍କୁ କାନ୍ଥ ଭାଙ୍ଗିବା ପାଇଁ ଅନୁରୋଧ କରାଯାଇଛି । ନିଜର ବିଶାଳ ହୃଦୟ ଦେଖାନ୍ତୁ ବୋଲି ସେ କହିଛନ୍ତି । ତେବେ ଅମିତାଭ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି ।
ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ବର୍ତ୍ତମାନ ଏହାର 2017 ନୋଟିସରେ କାର୍ଯ୍ୟ ଆରମ୍ଭ କରିଛି । ଯେଉଁଥିରେ ରାସ୍ତା ସମ୍ପ୍ରସାରଣ ପାଇଁ ବଚ୍ଚନଙ୍କ ପ୍ରତୀକ୍ଷା ବଙ୍ଗଳାର ଏକ ଅଂଶ ଭାଙ୍ଗିବାକୁ ପଡିବାକୁ ନିର୍ଦ୍ଦେଶ ରହିଥିଲା । ବଲିଉଡ ସୁପରଷ୍ଟାର ଏପର୍ଯ୍ୟନ୍ତ ବିଜ୍ଞପ୍ତିର ଉତ୍ତର ଦେଇନାହାଁନ୍ତି । ବିଏମସି ମୁମ୍ବାଇ ସିଟି ସର୍ଭେ ଅଧିକାରୀମାନଙ୍କୁ ମଧ୍ୟ ରାସ୍ତା ସମ୍ପ୍ରସାରଣ ପାଇଁ ଭାଙ୍ଗିବାକୁ ଥିବା ବଙ୍ଗଳାର ଅଂଶ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ