ମୁମ୍ବାଇ: ଭୋଜପୁରୀ ଅଭିନେତ୍ରୀ ଆତ୍ମହତ୍ୟା ଘଟଣାରେ ୨ ନକଲି NCB ଅଧିକାରୀ ଗିରଫ । ମୁମ୍ବାଇର ଆମ୍ବୋଲି ପୋଲିସରେ ନକଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ହୋଇ ଜଣେ ଭୋଜପୁରୀ ଅଭିନେତ୍ରୀଙ୍କୁ ଧମକ ଦେବା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ନକଲି ଏନସିବି ଅଧିକାରୀ ଭାବରେ ନିଜକୁ ପରିଚିତ କରାଇ ଭୋଜପୁରୀ ଅଭିନେତ୍ରୀ ଅଜୀମ କାଜୀଙ୍କୁ ବ୍ଲାକମେଲ୍ କରିଥିଲେ ଏବଂ ଏହି କାରଣରୁ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି।
ସୁରଜ ପରଦେଶୀ ଏବଂ ପ୍ରବୀଣ ବାଲିମ୍ବେ ନାମକ ଏହି ଦୁଇ ଅଭିଯୁକ୍ତ ୨୮ ବର୍ଷୀୟା ଭୋଜପୁରୀ ଅଭିନେତ୍ରୀଙ୍କୁ ନିଜକୁ ଏନସିବି ଅଧିକାରୀ କହି ଏକ ପାର୍ଟିରେ ଧରିଥିଲେ । ଏହା ପରେ ଦୁଇ ଅଭିଯୁକ୍ତ ଅଭିନେତ୍ରୀଙ୍କୁ ୪୦ ଲକ୍ଷ ଟଙ୍କା ମାଗିଥିଲେ । ଯାହାପରେ ମାମଲା ୨୦ ଲକ୍ଷରେ ଆସି ପହଞ୍ଚିଥିଲା ।
ଭୋଜପୁରୀ ଅଭିନେତ୍ରୀ ଅଜୀମ କାଜୀ ଆଉ ଜଣେ ଯୁବକଙ୍କ ସହ ହୁକ୍କା ପାର୍ଲରରେ ପାର୍ଟି କରୁଥିଲେ । ଏହି ସମୟରେ ନିଜକୁ ଏନସିବି ଅଧିକାରୀ କହୁଥିବା ଏହି ଦୁଇ ଅଭିଯୁକ୍ତ ସେଠାରେ ପହଞ୍ଚିଥିଲେ । ତାପରେ ଅଭିନେତ୍ରୀଙ୍କୁ ଫସାଇବାକୁ ଚେଷ୍ଟା କରିଥିଲେ । ବାରମ୍ବାର ଟଙ୍କା ମାଗିବା ଦ୍ବାରା ଅଭିନେତ୍ରୀ ଜଣକ ଡିପ୍ରେସନକୁ ଚାଲିଯାଇଥିଲେ । ୨୩ ଡିସେମ୍ବର ରାତିରେ ନିଜ ଘରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ । ମାମଲାରେ ପୋଲିସ ଆଇପିସି ଧାରା ୩୦୬, ୧୭୦, ୪୨୦, ୩୮୪, ୩୮୮, ୩୮୯, ୫୦୬, ୧୨୦ବି ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।