ବେଙ୍ଗାଲୁରୁ:ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସନ୍ଦେହ ଘେରରେ ଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ଡ୍ରଗ ଡିଲରଙ୍କ ସହ କନେକ୍ସନ ଥିବା ଖବର ନିକଟରେ ଶୁଣିବାକୁ ମିଳିଥିଲା । ଯାହାର ତଦନ୍ତ ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)କରୁଛି । ବୁଧବାର ମୁମ୍ବାଇର 7 ଜଣ ଡ୍ରଗ ଡିଲରଙ୍କୁ ଗିରଫ ମଧ୍ୟ କରିଛି ଏନସିବି । ଇତିମଧ୍ୟରେ ଆଉ ଜଣେ ଅଭିନେତ୍ରୀଙ୍କ ଡ୍ରଗ କନେକ୍ସନ କଥା ସାମ୍ନାକୁ ଆସିଛି । ଆଜ୍ଞା ହଁ, କନ୍ନଡ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଗିନୀ ଦ୍ବିବେଦୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ସେ ଡ୍ରଗ ଅଭ୍ୟସ୍ତ । ତାଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ବେଙ୍ଗାଲୁରୁ ପୋଲିସ ଡକାଇଥିଲା । ସରକାରୀ କର୍ମଚାରୀ ଥିବା ତାଙ୍କ ବନ୍ଧୁଙ୍କ ସହ ଗୁରୁବାର ଦିନ ଚାମରାଜପେଟରେ ଥିବା କେନ୍ଦ୍ରୀୟ କ୍ରାଇମ ଶାଖା ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା ।
ହେଲେ ଇତିମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ ସିସିବି ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ରେଡ କରିଛି । କାରଣ ଗୁରୁବାର ସେ ସିସିବି ଅଫିସ ଆସିବାକୁ ନିଜ ଓକିଲ ଦ୍ବାରା ମନା କରିଥିଲେ । ଯାହାପରେ ତାଙ୍କୁ ଶୁକ୍ରବାର ପହଞ୍ଚିବାକୁ ସିସିବି ତରଫରୁ କୁହାଯାଇଥିଲା । ହେଲେ ଶୁକ୍ରବାର ସକାଳ 10 ମଧ୍ୟରେ ସେ ଅଫିସରେ ନପହଞ୍ଚିବାରୁ ତାଙ୍କ ଘରେ ଛାପା ମାରିବାକୁ ନିଷ୍ପତ୍ତି ନେଇଥିଲା ସିସିବି ।
ସେହିପରି ରାଗିନୀଙ୍କ ବନ୍ଧୁ ରବି ଶଙ୍କରଙ୍କୁ ବୁଧବାର ସିସିବି ପୋଲିସ ହେପାଜତରେ ନେଇଛି । ପ୍ରକାଶ ଥାଉକି, ଫେମସ ଫିଲ୍ମ ନିର୍ମାତା ଇନ୍ଦ୍ରଜିତ ଲଙ୍କେଶ ଡ୍ରଗ ନେଉଥିବା କିଛି ସେଲିବ୍ରିଟିଙ୍କ ତାଲିକା ପୋଲିସ ନିକଟରେ ଦାଖଲ କରିବା ପରେ ଏହି ସମନ ଜାରି କରାଯାଇଥିଲା । ଗୁରୁବାର ଦ୍ବିତୀୟ ଥର ପାଇଁ ଲଙ୍କେଶଙ୍କୁ ମଧ୍ୟ ସିସିବି ଡକାଇଥିଲା ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ