ମୁମ୍ବାଇ: ସମୟର ପ୍ରକୃତ ଉପଯୋଗ କିପରି କରାଯିବ ତାହା ଆୟୁଷ୍ମାନଙ୍କଠାରୁ ଭଲ ଆଉ କିଏ ଜାଣେ । ସମୟ ମିଳିବା ମାତ୍ରେ ସେ କିଛି ନା କିଛି ନୂଆ ଜିନିଷ ଶିଖିଥାନ୍ତି । ଆଉ ଏବେ ଲକଡାଉନରେ ଇସିହାସ ଶିଖିବାକୁ ସେ ନିଷ୍ପତ୍ତି ନେଇଛନ୍ତି ।
ବଲିଉଡର କିଙ୍ଗ ମିଦାସ ଆୟୁଷ୍ମାନ ଲକଡାଉନରେ ଭାରତର ଇତିହାସ ସମ୍ପର୍କରେ ଏକ ଅନଲାଇନ କୋର୍ସ କରିବେ ବୋଲି ସ୍ଥିର କରିଛନ୍ତି । ଭାରତର ଇତିହାସ ଅତ୍ୟନ୍ତ ଗୌରବମୟ, ସଂସ୍କୃତି, ପରମ୍ପରାରେ ପରିପୂର୍ଣ୍ଣ । ଏହାସହ ଏଥିରେ ଅନେକ ବିବିଧତା ଅଛି । ଏଥିରୁ ଅନେକ କିଛି ଶିକ୍ଷା ମିଳିବ ଯାହା ତାଙ୍କ କ୍ୟାରିୟରରେ ଅନେକ ଲାଭଦାୟକ ହେବ । ଏହାକୁ ଶିଖିବାକୁ ସବୁବେଳେ ତାଙ୍କର ଇଚ୍ଛା ଥିଲା । ଏଥିପାଇଁ ଲକଡାଉନଠାରୁ ଆଉ ଭଲ ସମୟ ନାହିଁ ବୋଲି ସେ କହିଛନ୍ତି ।
ନିକଟରେ ବଲିଉଡରେ 8 ବର୍ଷ ପୂରଣ କରିଥିବା ଆୟୁଷ୍ମାନ କହିଛନ୍ତି ଯେ ଶିଖିବା ସବୁବେଳେ ତାଙ୍କର ଉଦ୍ଦେଶ୍ୟ । ଫିଲ୍ଡ ଯାହା ବି ହେଉନା କାହିଁକି କିଛି ଶିକ୍ଷା ପାଇଲେ ତାହା ଜୀବନରେ ଅନେକ କାମରେ ଆସିଥାଏ । ଆମେମାନେ ଭାଗ୍ୟବାନ ଯେ ଆମକୁ ଶିଖିବାର ସୁଯୋଗ ମିଳୁଛି । ଏହାର ସଦୁପଯୋଗ କରିବା ଉଚିତ । ସବୁବେଳେ ଶିଖିବାକୁ ସେ ଏକ୍ସସାଇଟେଡ ବୋଲି ମଲ୍ଟି ଟାଲେଣ୍ଟେଡ ଆୟୁଷ୍ମାନ କହିଛନ୍ତି । ପ୍ରକାଶ ଥାଉ କି ଗତ ଏକ ବର୍ଷ ମଧ୍ୟରେ ଆୟୁଷ୍ମାନ ଲଗାତାର 8ଟି ଫିଲ୍ମ ହିଟ ଦେଇଛନ୍ତି ।