ହାଇଦ୍ରାବାଦ: ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା କ୍ରୁଜ ସିପ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନ । ଏହି ଖବର ସାମନାକୁ ଆସିବା ପରେ ଟ୍ରୋଲ ହେବାରେ ଲାଗିଛନ୍ତି ଆରୟାନଙ୍କ ସମେତ ସୁପରଷ୍ଟାର ଶାହରୁଖ । ତେବେ ୨୩ ବର୍ଷ ବୟସରେ ଅନେକ ବ୍ୟକ୍ତିତ୍ବ ବଡ଼ ବଡ଼ କାମ କରିଥିବା ବେଳେ ଆରୟାନ ଏଭଳି ଡ୍ରଗ୍ସ ମାମଲାରେ ଜଡ଼ିତ ରହିଛନ୍ତି ବୋଲି ନେଟିଜେନ୍ସ ସୋସିଆଲ ମିଡ଼ିଆରେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।
କିଛି ନେଟିଜେନ୍ସ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ୨୩ ବର୍ଷ ବୟସରେ କପିଲ ଦେବ ୱାର୍ଲ୍ଡ କପ ଜିତିଥିବା ବେଳେ ନୀରଜ ଚୋପ୍ରା ୨୩ ବର୍ଷରେ ଜାଭଲିନ ଥ୍ରୋରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । କ୍ରିକେଟର କିମ୍ବଦନ୍ତୀ ପ୍ଲେୟାର ସଚିନ ତେନ୍ଦୁଲକର ମଧ୍ୟ ୨୩ ବର୍ଷ ବୟସରେ ୱାର୍ଲ୍ଡକପରେ ସବୁଠୁ ଅଧିକ ରନ କରିଥିଲେ । ସେପଟେ ୨୩ ବର୍ଷ ବୟସରେ ମଧ୍ୟ ଭଗତ ସିଂ ଦେଶ ମାତୃକା ପାଇଁ ବଳିଦାନ ଦେଇଥିଲେ ।
କିନ୍ତୁ ଏଠାରେ ୨୩ ବର୍ଷରେ ଆରୟାନ ଡ୍ରଗ୍ସ ମାମଲାରେ ଜଡ଼ିତ ରହିଛନ୍ତି । ଏହାପରେ ମଧ୍ୟ ତାଙ୍କୁ ଛୋଟ ପିଲା ବୋଲି ସମ୍ବୋଧନ କରିଥିଲେ ବଲିଉଡ଼ ଅଭିନେତା ସୁନୀଲ ସେଟ୍ଟୀ । ଆର୍ୟାନ NCB ଦ୍ବାରା ଅଟକ ପରେ ସୁନୀଲ କହିଥିଲେ ଯେ ସେ ବର୍ତ୍ତମାନ ଛୋଟ ପିଲା ଅଛନ୍ତି । ତାଙ୍କୁ ନିଶ୍ବାସ ନେବାକୁ ଦିଅନ୍ତୁ । ସଠିକ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଅନ୍ତୁ ନାହିଁ ବୋଲି କହିଥିଲେ । ଏହାପରେ 'AT 23' ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ