ମୁମ୍ବାଇ: ବି-ଟାଉନର ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଫିଲ୍ମ ଠାରୁ ଦୂରେଇ ଅଛନ୍ତି । ଶେଷଥର ସେ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ । ଇତିମଧ୍ୟରେ ତାଙ୍କ ନାମ ଫର୍ଚ୍ୟୁନ ଇଣ୍ଡିଆ 2019ର ଟପ୍-50 ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ଲିଷ୍ଟରେ ସାମିଲ ହୋଇଛି ।
2008ରେ ‘ରବ ନେ ବନା ଦି ଯୋଡି’ରୁ ବଲିଉଡରେ ପଦାର୍ପଣ କରିଥିବା ଅନୁଷ୍କା ଏହି ସୂଚିରେ 39ତମ ସ୍ଥାନ ହାସିଲ କରିଛନ୍ତି । ଆଉ ଏହି ସୂଚିରେ ସାମିଲ ହୋଇଥିବା ମହିଳାଙ୍କ ମଧ୍ୟରେ ଅନୁଷ୍କା ସବୁଠାରୁ ସାନ ମଧ୍ୟ ।
ଏହି ଅବସରରେ ଫର୍ଚ୍ୟୁନ ଇଣ୍ଡିଆ ଅନୁଷ୍କାଙ୍କ ବିଷୟରେ ଲେଖିଛନ୍ତି, ‘ଅନୁଷ୍କା ଶାନଦାର ଫିଲ୍ମ କରିବା ସହ ଅନେକ ବ୍ରାଣ୍ଡ ଯେମିତି କି ନିଭିୟା, ଏଲେ 18, ମିନ୍ତ୍ରା ଏବଂ ଲାଭିର ଜଣାଶୁଣା ଚେହେରା । ଏହାସହ ସେ ଜଣେ ପ୍ରଯୋଜିକା ମଧ୍ୟ ।'
କ୍ଲିନ ସ୍ଲେଟ ଫିଲ୍ମସ ଅନୁଷ୍କା ତେବେ ସ୍ଥାପନ କରିଥିଲେ ଯେବେ ସେ ମାତ୍ର 25 ବର୍ଷର ଥିଲେ । ଏହି ପ୍ରଡକ୍ସନ ହାଉସ ଜରିଆରେ ସେ ‘ଏନଏଚ 10’, ‘ଫିଲ୍ଲୋରୀ’ ଏବଂ ‘ପରୀ’ ଭଳି ଫିଲ୍ମକୁ କମ ବଜେଟରେ ନିର୍ମାଣ କରିଥିଲେ ।
ଖାଲି ଏତିକି ନୁହେଁ ସେ ବଲିଉଡରେ ପାଖାପାଖି 40 କୋଟି ଟଙ୍କା ଆୟ କରିସାରିଛନ୍ତି । ଏହାସହ ତାଙ୍କ ପ୍ରଡକ୍ସନ ହାଉସରେ ଏକ ଫିଚର ଫିଲ୍ମ ‘ବୁଲବୁଲ’ ଏବଂ ୱେବ ସିରିଜ ‘ମାଈ’ର ନିର୍ମାଣ ଚାଲିଛି । ‘ମାଈ’ ଜରିଆରେ ସେ ନେଟଫ୍ଲିକ୍ସ ସହ ମଧ୍ୟ ସମ୍ପୃକ୍ତ ହୋଇଛନ୍ତି ।
ଫର୍ଚ୍ୟୁନ ଭାରତର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ବାର୍ଷିକ ରାଙ୍କିଙ୍ଗ ଲିଷ୍ଟ ତାର ବ୍ୟାପାର କୌଶଳ ଏବଂ ସାଂସ୍କୃତିକ ପ୍ରଭାବ ଆଧାରରେ ଜାରି କରିଥାଏ ।