ମୁମ୍ବାଇ: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ଶୁକ୍ରବାର ରିଲିଜ ହୋଇଯାଇଛି। ଫିଲ୍ମଟିକୁ ପାଖାପାଖି 3500 ସ୍କ୍ରିନ୍ସରେ ରିଲିଜ କରାଯାଇଛି । ଫିଲ୍ମକୁ ନେଇ ଦର୍ଶକଙ୍କ ଜବରଦସ୍ତ କ୍ରେଜ ଦେଖିବାକୁ ମିଳୁଛି । ମୁଖ୍ୟକଥା ହେଲା କି ବି-ଟାଉନ ସିଂଘମ ଅଜୟ ଦେବଗନଙ୍କ ଏହା 100ତମ ଫିଲ୍ମ । ସେହିପରି ‘ତାନାଜୀ’ ଐତିହାସିକ ଫିଲ୍ମ ହୋଇଥିବାରୁ ଅଜୟ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ସ୍କ୍ରିନିଂର ଆୟୋଜନ କରିଥିଲେ । ଏହି କଥାର ସୂଚନା ଅଜୟ ଟ୍ବିଟରରେ ଏକ ପୋଷ୍ଟ ସେୟାର କରି ଦର୍ଶକଙ୍କୁ ଦେଇଛନ୍ତି।
ଛାତ୍ରଛାତ୍ରୀ ଫିଲ୍ମ ଦେଖୁଥିବା ସମୟର ଏକ ଫଟୋ ଟ୍ବିଟରରେ ସେୟାର କରି ଅଜୟ ଲେଖିଛନ୍ତି, ‘ଆମ ଯୁବପିଢି ଇତିହାସ ଦେଖୁଛନ୍ତି।’ ଫଟୋରେ ଆପଣ ଦେଖିପାରିବେ ଯେ ସିନେମା ହଲରେ କେବଳ ଛାତ୍ରଛାତ୍ରୀ ବସି ଫିଲ୍ମ ଏନଜୟ କରୁଥିବାର ନଜର ଆସୁଛନ୍ତି । ଫିଲ୍ମ ଦେଖିବା ପରେ ଛାତ୍ରଛାତ୍ରୀ ଅଜୟଙ୍କ ଠାରୁ ଅଟୋଗ୍ରାଫ ନେବା ସହ ଖୁବ୍ ସେଲ୍ଫି ଉଠାଇଥିଲେ ।
ଅଜୟଙ୍କ ସହ ଏହି ଫିଲ୍ମରେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ, କାଜୋଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ଛତ୍ରପତି ଶିବାଜୀ ମହାରାଜଙ୍କ ବନ୍ଧୁ ତାନାଜୀ, ସେନା ମାଲୁସରେଙ୍କ କାହାଣୀକୁ ନେଇ ଆଧାରିତ । ତାନାଜୀ, ଛତ୍ରପତି ଶିବାଜୀଙ୍କ ଡାହାଣ ହାତ କୁହାଯାଉଥିଲେ । ଫିଲ୍ମରେ ସୈଫଙ୍କ ଦମଦାର ଖଳନାୟକ ଭୂମିକା ଦେଖିବାକୁ ମିଳିଛି । ସେହିପରି ଦୀର୍ଘ ସମୟ ପରେ ଫିଲ୍ମରେ ସ୍ବାମୀ ଅଜୟଙ୍କ ପତ୍ନୀ ସାଜିଛନ୍ତି କାଜୋଲ।