ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ, ଅବାକ୍ କରି ଆତ୍ମହତ୍ୟାର ନିଷ୍ପତ୍ତି ନେଇଗଲେ ବଲିଉଡ୍ ଷ୍ଟାର ସୁଶାନ୍ତ ସିଂ ରାଜପୁତ୍। ଦୁଃଖଦ ଘଟଣାରେ ସମସ୍ତେ ମର୍ମାହତ ହେବା ସହ ସୁଶାନ୍ତଙ୍କ ଫ୍ୟାନ୍ସ ଓ ପରିବାରରେ ଖେଳିଯାଇଛି ଶୋକର ବାତାବରଣ। ସୋମବାର ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସରିଥିବା ବେଳେ ତାଙ୍କ ଅକାଳ ବିୟୋଗ ଖବର ଶୁଣି ବିହାରର ପୁର୍ନିଆରେ ରହୁଥିବା ତାଙ୍କ ସମ୍ପର୍କୀୟ ଭାଉଜଙ୍କ ମୃତ୍ୟୁ ହୋଇଛି।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ତାଙ୍କ ନିକଟରେ ପହଞ୍ଚିବା ପରେ ସେ ଏହାକୁ ଗ୍ରହଣ କରି ପାରିନଥିଲେ । ଏହାପରେ ସେ ଖାଇବା ପିଇବା ବନ୍ଦ କରିଦେବା ସହ ସୋମବାର (ଜୁନ୍ 15, 2020) ଅପରାହ୍ନ ପ୍ରାୟ 5ଟା ବେଳେ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ମଧ୍ୟ ସୁଧା ଦେବୀ ଅସୁସ୍ଥ ଥିଲେ।
ଜୁନ୍ 14ରେ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାନ୍ଦ୍ରା ଆପାର୍ଟମେଣ୍ଟରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଗତ ପାଞ୍ଚ ମାସ ଧରି ସେ ଡିପ୍ରେସନରେ ରହୁଥିବା ବେଳେ ଔଷଧ ସେବନ କରୁନଥିବା ଜଣାପଡିଛି ।
ମୁମ୍ବାଇରେ ପ୍ରବଳ ବର୍ଷା ମଧ୍ୟରେ ତାଙ୍କର ଶେଷ ରୀତିନୀତି ସୋମବାର କରାଯାଇଥିଲା। ତାଙ୍କର ଅନ୍ତିମ ସଂସ୍କାର ପୱାନ୍ ହାନ୍ସ କ୍ରେମେଟୋରିୟମରେ ହୋଇଥିଲା। ଏହି ସମୟରେ ଶ୍ରଦ୍ଧା କପୁର, ଅଭିଷେକ ଏବଂ ପତ୍ନୀ ପ୍ରିୟା କପୁର, ବରୁଣ ଶର୍ମା, ମୁକେଶ ଛାବ୍ରା, ବିବେକ ଓବରୟଙ୍କ ପରି ଅନେକ ବଲିଉଡ ବ୍ୟକ୍ତିତ୍ୱ ଶେଷ ସମୟରେ ଉପସ୍ଥିତ ରହିଥିଲେ।