ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ପିତା ମଙ୍ଗଳବାର ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ଆଉ ନିଜ ଅଭିଯୋଗରେ ସେ ରିଆଙ୍କ ଉପରେ ଅନେକ ସାଙ୍ଘାତିକ ଦୋଷ ଲଗାଇଛନ୍ତି । ଏବେ ରିଆଙ୍କ ଓକିଲ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନରେ ସେ ପାଟନାରେ ରୁଜୁ ହୋଇଥିବା ମାମଲାର ଦଦନ୍ତ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ନିବେଦନ କରିଛନ୍ତି । ତାଙ୍କ ଅନୁଯାୟୀ ସୁଶାନ୍ତଙ୍କ ଆତ୍ମହତ୍ୟା କେସରେ ମୁମ୍ବାଇ ପୋଲିସ ପୂର୍ବରୁ ତଦନ୍ତ କରୁଛି ।
ସେହିପରି ଓକିଲ ସତୀଶ ମନଶିନ୍ଦା ଯାଚିକାରେ କହିଛନ୍ତି ଯେ ଯେତେବେଳେ ମୁମ୍ବାଇରେ ତଦନ୍ତ ଚାଲିଛି ଏବଂ ଏହାର ପୁରା ସୂଚନା ଲୋକଙ୍କୁ ମିଳୁଛି ତେବେ ବିହାରରେ ସମାନ ଘଟଣାରେ ତଦନ୍ତ କରିବା ବେଆଇନ ।
ଓକିଲଙ୍କ ବ୍ୟତୀତ ରିଆ ମଧ୍ୟ ଏକ ବୟାନରେ କହିଛନ୍ତି ସୁଶାନ୍ତଙ୍କ ମାମଲାରେ ପୂର୍ବରୁ ହିଁ ତଦନ୍ତ ଚାଲିଛି । ଗୋଟିଏ ମାମଲାର ତଦନ୍ତ ଦୁଇଟି ରାଜ୍ୟର ପୋଲିସ କରିପାରିବ ନାହିଁ । ସେହିପରି ସାକ୍ଷୀ ମୁମ୍ବାଇରେ ନିଜ ନିଜ ବୟାନ ରେକର୍ଡ କରୁଛନ୍ତି । ଏମିତି ପରିସ୍ଥିତିରେ ଦୁଇଟି ସ୍ଥାନରେ ଗୋଟିଏ ମାମଲାର ତଦନ୍ତ ହେବା ଠିକ୍ କଥା ନୁହେଁ ।
ପ୍ରକାଶ ଥାଉକି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଯାଚିକାରେ ମଧ୍ୟ କୁହାଯାଇଛି ଯେ ରିଆ ତଦନ୍ତରେ ସହଯୋଗ କରିବାକୁ ଚାହୁଁଛନ୍ତି ।