ମୁମ୍ବାଇ: ଫେମସ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଲଗାଇ କିଛି ଦିନ ହେବ ଚର୍ଚ୍ଚାରେ ଅଭିନେତ୍ରୀ ପାୟଲ ଘୋଷ । ଇତିମଧ୍ୟରେ ସେ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା । ସେ ଚିଠିରେ ନିଜ ପାଇଁ ୱାଇ ପ୍ଲସ ସୁରକ୍ଷା ମାଗିଛନ୍ତି ।
ପାୟଲଙ୍କ ଓକିଲ ନିତିନ ସତପୁତେ ସୋମବାର ଟ୍ବିଟରରେ ଏକ ପୋଷ୍ଟ କରି ଏହି ଚିଠିର ଏକ ସ୍କ୍ରିନସଟ ସେୟାର କରିଥିଲେ । ଯେଉଁଥିରେ ଉଲ୍ଲେଖ କରାଯାଇଛି ଦୋଷୀ ସ୍ବତନ୍ତ୍ର ରୂପେ ବୁଲୁଛି । ଆଉ ଏଯାବତ ତାଙ୍କୁ ଗିରଫ ମଧ୍ୟ କରାଯାଇନାହିଁ । ଯାହାକୁ ଦୃଷ୍ଟିରେ ରଖି ପାୟଲ କହିଛନ୍ତି ଯେ ଦୋଷୀ ତାଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି । ଏହାସହ ସେ ଅସୁରକ୍ଷିତ ଅନୁଭବ କରୁଥିବା କଥା ମଧ୍ୟ କହିଛନ୍ତି।
ସେହିପରି ଚିଠି ପୋଷ୍ଟ କରି ଓକିଲ ଲେଖିଥିଲେ, ‘ଆଜି ଅନିଲ ଦେଶମୁଖଙ୍କୁ ପାୟଲ ସୁରକ୍ଷା ଦାବି କରି ଏହି ଚିଠି ଲେଖିଛନ୍ତି ।’ ପ୍ରକାଶ ଥାଉକି ନିକଟରେ ପାୟଲ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ସହ ସାକ୍ଷାତ କରି ୱାଇ ପ୍ଲସ ସୁରକ୍ଷା ଦାବି କରିଥିଲେ।