ମୁମ୍ବାଇ: ଫେମସ ଅଭିନେତ୍ରୀ ନୀନା ଗୁପ୍ତା ଫିଲ୍ମଠୁ ଅଧିକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ୱେଷ୍ଟ ଇଣ୍ଡିଜ କ୍ରିକେଟର ବିବିୟନ ରିଚର୍ଡଙ୍କଠୁ ଅଲଗା ହେବା ପରେ ନୀନା ଏକୁଟିଆ ଝିଅ ମସାବାଙ୍କ ଲାଳନପାଳନ କରିଥିଲେ । ଦୀର୍ଘ ସମୟ ପରେ ନୀନା 2008ରେ ବିବେକ ମହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଇତିମଧ୍ୟରେ ସେ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ।
ସେ ଏକ ସାକ୍ଷାତକାରରେ କହିଥିଲେ, ‘ଝିଅ ମସାବାଙ୍କ ଖୁସି ମୋ ପାଇଁ ସବୁଠୁ ଅଧିକ ମହତ୍ବ ରଖେ । ଯଦି ସ୍ବାମୀ ବିବେକ ମୋ ଝିଅକୁ ପସନ୍ଦ କରିନଥାଆନ୍ତେ ତେବେ ମୁଁ କଦାପି ତାଙ୍କୁ ବିବାହ କରିନଥାଆନ୍ତି । ଏପରି ପରିସ୍ଥିତିରେ ପ୍ରେମ ମହତ୍ବ ରଖେ ନାହିଁ । ଏମିତି କୌଣସି ବ୍ୟକ୍ତି ସହ ରିଲେସନଶିପରେ ରହିବାକୁ ଚାହିଁନଥାଆନ୍ତି, ଯାହାଙ୍କୁ ମୋ ଝିଅକୁ ନେଇ ସମସ୍ୟା ଥାଆନ୍ତା । ଏହା ନିହାତି ଆବଶ୍ୟକ ଯେ ମୁଁ ଯାହା ସହ ଅଛି ଝିଅ ତାଙ୍କୁ ପସନ୍ଦ କରନ୍ତୁ ଓ ସେ ମଧ୍ୟ ଝିଅଙ୍କୁ ପସନ୍ଦ କରିବା ଦରକାର ।’
ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ସେ ଦେଇଥିବା ଏକ ସାକ୍ଷାତକାରରେ ନିଜ ପରିବାର ବିଷୟରେ ଅନେକ କଥା କହିଥିଲେ । ଯାହାର ଚର୍ଚ୍ଚା ଖୁବ୍ ହୋଇଥିଲା । ଏହାବ୍ୟତୀତ ସେ ନେଟଫ୍ଲିକ୍ସର ଆଗାମୀ ଫିଲ୍ମ ‘ମସାବା-ମସାବା’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ସେ ଝିଅ ମସାବାଙ୍କ ସହ ପ୍ରଥମଥର କାମ କରୁଥିବାର ନଜର ଆସିବେ । ସେହିପରି ଫିଲ୍ମଟି ଏହି ମା-ଝିଅଙ୍କ କାହାଣୀକୁ ନେଇ ଆଧାରିତ । ଆସନ୍ତା 28 ତାରିଖରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ ।