ମୁମ୍ବାଇ: ଗତ ରବିବାର ଜେଏନୟୁ ପରିସରରେ ହୋଇଥିବା ହିଂସା ଉପରେ ଧିରେ ଧିରେ କରି ବଲିଉଡର ଅନେକ ଷ୍ଟାର୍ସ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ମଙ୍ଗଳବାର ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ଜେଏନୟୁ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନରେ ଯୋଗ ଦେଇଥିଲେ । ଯାହାପରେ ତାଙ୍କ ଫିଲ୍ମ ବିରୋଧ କରି କିଛି ଟ୍ରୋଲର୍ସ ସୋସିଆଲ ମିଡିଆରେ ‘ବଏକଟ ଛପାକ’ ଦାବି କରିଥିଲେ। ଆଜି ରିଲିଜ ହୋଇଯାଇଛି ତାଙ୍କ ଏହି ଚର୍ଚ୍ଚିତ ଫିଲ୍ମ । ଇତିମଧ୍ୟରେ ଜେଏନୟୁ ହିଂସା ମାମଲାରେ ବରୁଣ ଧୱନ ନିଜର ପ୍ରତିକ୍ରିୟା ରଖିଛନ୍ତି।
ତାଙ୍କର ମତାମତ ଅନୁଯାୟୀ ସେ ମଧ୍ୟ ଏହି ପ୍ରସଙ୍ଗ ଉପରେ ଚୁପ ରହିପାରିବେ ନାହିଁ। ନିଜ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର 3ଡି’ର ପ୍ରମୋଶନ ଏବେ ବରୁଣ ମଧ୍ୟ ପ୍ରଦେଶରେ କରୁଛନ୍ତି । ଏହି ପ୍ରମୋଶନରେ ସେ ଜେଏନୟୁ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଥିଲେ।
ଏଭଳି ପ୍ରସଙ୍ଗରେ ଆମେ ଚୁପ ବସିବା କଥା ନୁହେଁ । ଆପକୁ ଏପରି ଆକ୍ରମଣର ନିନ୍ଦା କରିବାକୁ ପଡିବ । ଏହା ଭୟାନକ ଏବଂ ଦୁଃଖଦ ମଧ୍ୟ । ଚେହେରାରେ ମାସ୍କ ପିନ୍ଧି କିଛି ଦୁର୍ବୁତ୍ତ ବିଶ୍ବବିଦ୍ୟାଳୟରେ ପ୍ରବେଶ କରି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଆକ୍ରମଣ କରୁଛନ୍ତି । ଯାହା ନିନ୍ଦା ଯୋଗ୍ୟ ବୋଲି କହିଥିଲେ ବରୁଣ। ତାଙ୍କ ପୂର୍ବରୁ ସ୍ବରା ଭାସ୍କର, ଅନୁରାଗ କଶ୍ୟପ, ଜୀଶାନ ଆୟୁବ ଭଳି କଳାକାର ଏହି ମାମଲାର ନିନ୍ଦା କରି ନିଜ ପ୍ରତିକ୍ରିୟା ରଖିଥିଲେ।