ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଶନିବାର ୟୁଶରାଜ ଫିଲ୍ମସର ଚେୟାରମ୍ୟାନ, ନିର୍ମାତା ଆଦିତ୍ୟ ଚୋପ୍ରାଙ୍କୁ ପଚରାଉଚରା କରିଥିଲା । ଆଦିତ୍ୟ ବାନ୍ଦ୍ରା ପୋଲିସ ଷ୍ଟେସନରେ ନିଜ ବୟାନ ଦେଇଥିଲେ। ପାଖପାଖି 4 ଘଣ୍ଟା ପର୍ଯ୍ୟନ୍ତ ଆଦିତ୍ୟଙ୍କ ବୟାନ ରେକର୍ଡ କରାଯାଇଥିଲା । ଯେଉଁଥିରେ ଆଦିତ୍ୟ ଅନେକ ଖୁଲାସା କରିଛନ୍ତି । ସେ ଜଣାଇଥିଲେ ଯେ ସୁଶାନ୍ତଙ୍କୁ ‘ଶୁଦ୍ଧ ଦେଶୀ ରୋମାନ୍ସ’ ପାଇଁ ୟଶରାଜ ଫିଲ୍ମସ 30 ଲକ୍ଷ ଓ ‘ବ୍ୟୋମକେଶ ବକ୍ସି’ ପାଇଁ 1 କୋଟି ଟଙ୍କା ଫିସ୍ ଦେଇଥିଲା ।
ସେ ଆହୁରି କହିଥିଲେ ଯେ ବର୍ତ୍ତମାନ ତାଙ୍କ ଉପରେ ଏହି ଅଭିଯୋଗ ଲାଗୁଛି ଯେ ‘ପାନି’ ଫିଲ୍ମ ନହେବାରୁ ସୁଶାନ୍ତ ଡିପ୍ରେସନରେ ଥିଲେ । ହେଲେ ୟଶରାଜ ଫିଲ୍ମସ କହିବା ଯୋଗୁଁ ସୁଶାନ୍ତଙ୍କୁ ଫିଲ୍ମରେ ମୁଖ୍ୟ ଭୂମିକାରେ କାଷ୍ଟ କରାଯାଇଥିଲା । 150 କୋଟି ବଜେଟର ଏହି ଫିଲ୍ମର ପ୍ରି-ପ୍ରଡକ୍ସନ ଷ୍ଟେଜ କାମ ପାଇଁ 5-6 କୋଟି ମଧ୍ୟ ଖର୍ଚ୍ଚ ହୋଇଥିଲା । ହେଲେ ନିର୍ଦ୍ଦେଶକ ଓ ଆମ ମଧ୍ୟରେ କ୍ରିଏଟିଭ ଯୁକ୍ତିତର୍କ ପାଇଁ ପରିଶେଷରେ ଫିଲ୍ମ ନିର୍ମାଣ ହୋଇପାରିନଥିଲା । 2015ରେ ଆମେ ସୁଶାନ୍ତଙ୍କୁ ଏହି କଣ୍ଟ୍ରାକ୍ଟରୁ ରିଲିଜ କରିଦେଇଥିଲୁ । ସେହି ସମୟରେ ସୁଶାନ୍ତ ଓ ଆମ ମଧ୍ୟରେ କୌଣସି ମତଭେଦ କିମ୍ବା ଯୁକ୍ତିତର୍କ ହୋଇନଥିଲା । ଆମ ମଧ୍ୟରେ ସବୁ କଥା ସାମାନ୍ୟ ଥିଲା ।
‘ପାନି’ ନିର୍ମାଣ ନହେବାରୁ ହୁଏତଃ ସୁଶାନ୍ତ ନିରାଶ ହୋଇଥିବେ । ଯାହା ସ୍ବାଭାବିକ କଥା, କୌଣସି ବି କଳାକାର ତାଙ୍କ ସ୍ଥାନରେ ଥିଲେ ନିହାତି ନିରାଶ ହୋଇଥାଆନ୍ତେ । ଆଉ ସୁଶାନ୍ତ ବୁଝିବା ବ୍ୟକ୍ତି ଥିଲେ । ଇଣ୍ଡଷ୍ଟ୍ରିରେ ଫିଲ୍ମ ନିର୍ମାଣ ନହେବା ସାଧାରଣ କଥା ବୋଲି ସୁଶାନ୍ତ ମଧ୍ୟ ଜାଣିଥିଲେ । ‘ପାନି’ ପାଇଁ ସୁଶାନ୍ତ ଡିପ୍ରେସନରେ ଥିଲେ ଏହା ଏକଦମ ଉଡା ଖବର ବୋଲି କହିଥିଲେ ଆଦିତ୍ୟ।