ମୁମ୍ବାଇ: ବଲିଉଡର ଖଳନାୟକ ତଥା କମେଡିଆନ ଆକ୍ଟର ଶକ୍ତି କପୁର 1995ରେ ଆସିଥିବା ଗୋବିନ୍ଦା ଓ କରିସ୍ମା କପୁରଙ୍କ ସୁପରହିଟ୍ ଫିଲ୍ମ ‘କୁଲି ନଂ 1’ରେ ଦମଦାର କମେଡି କରିଥିଲେ । ସେ ଫିଲ୍ମରେ ଗୋବର୍ଦ୍ଧନ ମାମୁଁ ଭୂମିକାରେ ନଜର ଆସିଥିଲେ । ଇତିମଧ୍ୟରେ ଡେଭିଡ ଧୱନଙ୍କ ‘କୁଲି ନଂ 1’ ରିମେକକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ଯାହାର ଦମଦାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ବରୁଣ ଧୱନଙ୍କ ସହ ସାରା ଅଲ୍ଲୀ ଖାନ ଫିଲ୍ମରେ ନଜର ଆସିବେ । ଆସନ୍ତା 25 ତାରିଖରେ ରିଲିଜ ହେବାକୁ ଯାଉଛି ଫିଲ୍ମ ।
ସେପଟେ ଫିଲ୍ମ ବିଷୟରେ ଶକ୍ତି କହିଛନ୍ତି, ‘25 ତାରିଖ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିପାରୁନାହିଁ ବରୁଣଙ୍କ କୁଲି ନଂ 1 ଦେଖିବାକୁ । ମୁଁ ଶୀଘ୍ର ଏହି ଫିଲ୍ମ ଦେଖିବି । ଡେଭିଡ ଜଣେ ଏମିତି ନିର୍ମାତା ଯିଏ ସବୁ କ୍ଷେତ୍ରରେ ସନ୍ତୁଷ୍ଟ ନହେବା ପର୍ଯ୍ୟନ୍ତ ତାଙ୍କ ଫିଲ୍ମ ଛାଡିବେ ନାହିଁ । ତେଣୁ ଆମେ ନିଶ୍ଚିତ ହୋଇପାରିବା ଯେ ଏହା ଏକ ସୁନ୍ଦର ଫିଲ୍ମ ହୋଇଥିବ । ଏଥିସହ, ମୁଁ ନିଶ୍ଚିତ ଯେ ସେ ଏଥିରେ କିଛି ସରପ୍ରାଇଜ ରଖିଥିବେ । ଯେମିତି 25 ବର୍ଷ ପୂର୍ବେ କରିଥିଲେ ।’
ସେ ଚାହୁଁଥିଲେ ଡେଭିଡଙ୍କ ଏହି ଫିଲ୍ମରେ ସାମିଲ ହେବାକୁ । ହେଲେ ସେ ଫିଲ୍ମ ବିଷୟରେ ଜାଣିବା ପୂର୍ବରୁ ଡେଭିଡ ଫିଲ୍ମ ନିର୍ମାଣ କରିସାରିଥିଲେ । ସେ ସବୁବେଳେ ଡେଭିଡଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି । ଏହାବ୍ୟତୀତ ସେ ବରୁଣଙ୍କ ପ୍ରଶଂସା କରି କହିଛନ୍ତି, ‘ବରୁଣ ମୋ କୋଳରେ ବଡ ହୋଇଛନ୍ତି । ସେ ଜଣେ ଦକ୍ଷ ଅଭିନେତା । ତାଙ୍କ ଅଭିନୟର ଯାଦୁ ବଦଲାପୁର ଦେଖିବାକୁ ମିଳିଥିଲା ।’