ମୁମ୍ବାଇ: ‘ଗଲି ବୟ’ର ସଫଳ ଯୋଡି ରଣବୀର ସିଂ ଓ ଆଲିୟା ଭଟ୍ଟଙ୍କ ଫ୍ୟାନ୍ସ ପାଇଁ ଗୁଡନ୍ୟୁଜ । ପୁଣି ପରଦାରେ ଦେଖିବାକୁ ମିଳିବ ଦୁଇଜଣଙ୍କ କେମେଷ୍ଟ୍ରି । ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଯେ ଫେମସ ନିର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ଆଲିୟା ଓ ରଣବୀର । କରନ ଚାହୁଁଛନ୍ତି ଏହି ସଫଳ ଯୋଡିକୁ ନେଇ ନିଜ ଆଗାମୀ ଫିଲ୍ମ ନିର୍ମାଣ କରିବାକୁ ।
ଯାହାର ପ୍ରସ୍ତୁତି ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଜୁନ ଏବଂ ଜୁଲାଇ ମାସରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ ସୁଟିଂ ହେବ ଫିଲ୍ମ। ରଣବୀର ଏବଂ ଆଲିୟା ଖୁବଶୀଘ୍ର ଫିଲ୍ମରେ ସେମାନଙ୍କର ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।
ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଲାଡଲା ଇବ୍ରାହିମ ମଧ୍ୟ ଏହି ଫିଲ୍ମରେ କାମ କରିବେ । ସେ ସହ-ନିର୍ଦ୍ଦେଶକ ରୂପେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ସେହିପରି ନିକଟରେ ଚର୍ଚ୍ଚା ଜୋର ଧରିଥିଲା ଯେ ଇବ୍ରାହିମକୁ ବଲିଉଡରେ ଲଞ୍ଚ କରିବେ କରନ । ହେଲେ ଏହି ଖବରକୁ ଏଯାବତ ସ୍ପଷ୍ଟ କରିନାହିଁନ୍ତି ନିର୍ମାତା ।
ପ୍ରକାଶ ଥାଉ ବର୍ତ୍ତମାନ ରଣବୀର ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ କମେଡି ଡ୍ରାମା ଫିଲ୍ମ ‘ସର୍କସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ଏପ୍ରିଲରେ ରିଲିଜ ହେବାକୁ ଯାଉଛି ତାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ ।