ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପ୍ରଫେକ୍ସନିଷ୍ଟ ଅଭିନେତା ଅମିର ଖାନ୍ ନିଜର ଆଗାମୀ ଫିଲ୍ମ 'ଲାଲ ସିଂହ ଚଢା'ର ସୁଟିଂ ଦିଲ୍ଲୀରେ କରୁଛନ୍ତି । ଚଳଚ୍ଚିତ୍ର ସୁଟିଂ ସମୟରେ ଛାତିରେ ଆଘାତ ଲାଗିବାରୁ ପେନ୍ କିଲର ଔଷଧ ଖାଇ ସୁଟିଂ ଜାରି ରଖିଥିବା ସୂଚନା ମିଳିଛି । ତେବେ ଏଥିରୁ କାର୍ଯ୍ୟ ପ୍ରତି ତାଙ୍କର ପରିଶ୍ରମ ଓ ସମର୍ପଣ ମନୋଭାବକୁ ସ୍ପଷ୍ଟ ବାରି ହୋଇପଡୁଥିବାର ସାଧାରଣରେ ଚର୍ଚ୍ଚା ହୋଇଛି ।
ମିଳିଥିବା ସୂଚନା ମୁତାବକ ପିକେ ଷ୍ଟାର ଅମିର ଖାନ୍ ଫିଲ୍ମର ଏକ ଆକ୍ସନ କ୍ରମ ସୁଟିଂ କରୁଥିବା ବେଳେ ତାଙ୍କର ରିବ୍(ଛାତିରେ ଥିବା ପିଞ୍ଜରା ହାଡ)ରେ ଆଘାତ ଲାଗିଥିଲା । ହେଲେ ସେ ଏହାକୁ ନିଜ କାର୍ଯ୍ୟର ରାସ୍ତାରେ ଆସିବାକୁ ଦେଇ ନାହାନ୍ତି । ସୁଟିଂକୁ ବନ୍ଦ ନ ରଖି ବରଂ ପେନ୍ କିଲର ଖାଇ ସୁଟିଂ କରୁଥିବାର ଫିଲ୍ମର ସେଟ୍ରେ ଉପସ୍ଥିତ ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି ।
ଏହି 55 ବର୍ଷୀୟ ଅଭିନେତା ନିଜେ ଯନ୍ତ୍ରଣାରେ ରହି ସୁଟିଂ ବନ୍ଦ କରିନାହାନ୍ତି । କାରଣ ଫିଲ୍ମର ଉକ୍ତ ଆକ୍ସନ କ୍ରମର ସୁଟିଂ ପାଇଁ ବିଶେଷ ଭାବରେ ବ୍ୟବସ୍ଥା କରାଯାଇଛି । ଏଣୁ ଅମିର ନିଜ ପଟରୁ କୌଣସି ମତେ ସୁଟିଂକୁ ବନ୍ଦ କରିବାକୁ ଚାହୁଁ ନାହାନ୍ତି । ସେଥିଲାଗି ସେ ପେନ୍ କିଲର ଔଷଧ ଖାଇ ସୁଟିଂ ଜାରି ରଖିଛନ୍ତି । 'ଲାଲ ସିଂହ ଚଢା'ର ଟିମ୍ ପକ୍ଷରୁ ଅମିରଙ୍କୁ ସମସ୍ତ ଆବଶ୍ୟକ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଛି । ଅମିରଙ୍କୁ ପୂର୍ବରୁ ଫିଲ୍ମର ଅନ୍ୟ ଏକ କ୍ରମର ସୁଟିଂ ସମୟରେ କ୍ରମାଗତ ଦୌଡିବା ଫଳରେ ତାଙ୍କୁ ଗଭୀର ଶାରୀରିକ ଆଘାତ ଲାଗିଥିଲା । ତେବେ ଏହି ଫିଲ୍ମରେ ଅମିର ନିଜ ଭୂମିକା ପାଇଁ କରୁଥିବା ପରିଶ୍ରମ ଲାଗି ପ୍ରଶଂସନୀୟର ପାତ୍ର ହୋଇଥିବା ଜଣାପଡିଛି ।
'ଲାଲ ସିଂହ ଚଢା' ଚଳଚ୍ଚିତ୍ର ହେଉଛି 1994 ମସିହାରେ ରିଲିଜ ହୋଇଥିବା ଆମେରିକୀୟ ଫିଲ୍ମ 'ଫରେଷ୍ଟ ଗମ୍ପ' ର ହିନ୍ଦୀ-ରିମେକ୍ । ଏହି ହାସ୍ୟରସ ଡ୍ରାମା ଫିଲ୍ମର ନିର୍ଦ୍ଦେଶକ ଅଦଭେତ୍ ଚନ୍ଦନ ଥିବା ବେଳେ ପ୍ରଯୋଜନା ଦାୟିତ୍ବରେ ଅମିର ଖାନ୍ଙ୍କ ନିଜ ପ୍ରଡକ୍ସନ ହାଉସ ରହିଛି । ତେବେ ଏଥିରେ ଅମିରଙ୍କ ବିପକ୍ଷରେ କରୀନା କପୁର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଦୁଇ କଳାକାର ଥ୍ରୀ ଇଡିଅଟ୍ସ ଓ ତଲାସ ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ପୂର୍ବରୁ ଭେଟି ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ମୋନା ସିଂ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି ।
@ANI