ଲକ୍ଷ୍ନୌ: ହରିୟାଣାର ପପୁଲାର ଡାନ୍ସର ତଥା ‘ବିଗବସ’ ଫେମ ସପନା ଚୌଧୁରୀଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି l ସେମିତି ଦେଖିବାକୁ ଗଲେ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ହେଲେ ଏମିତି ଫ୍ୟାନ୍ସ ଅଛନ୍ତି ଯିଏ ତାଙ୍କ ଗୀତ ନଶୁଣିଲେ ଲୋକଙ୍କୁ ହତ୍ୟା ବି କରିଦେଉଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଉତ୍ତରପ୍ରେଦଶର ବୁଲନ୍ଦସହରରେ ଏକ ବିବାହ ସମାରୋହରେ ଘଟିଛି । ବିବାହ ଉତ୍ସବରେ ସପନାଙ୍କ ଗୀତ ବଜାଇବା ପାଇଁ ଡିଜେ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ପରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି ।
କଥାଟି ହେଲା ଯେ ବିବାହ ଉତ୍ସବରେ ଗୋଟିଏ ପକ୍ଷ ସପନାଙ୍କ ଗୀତ ବଜାଇବାକୁ ଜିଦ୍ ଧରିଥିବା ବେଳେ ଅନ୍ୟ ପକ୍ଷ ଏହାର ବିରୋଧ କରିଥିଲେ । ଯାହାପରେ ଦୁଇ ପକ୍ଷ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ଯାହାଦ୍ବାରା ଜଣେ ଆହତ ହୋଇଥିଲେ । ଆଉ ତାଙ୍କ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସେପଟେ ଏହି ମାମଲାରେ ପୋଲିସ 4 ଜଣ ଲୋକଙ୍କ ନାଁରେ ଏକ ମାମଲା ରୁଜୁ କରିଛି । ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ପୋଲିସ ସେହି 4 ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେହିପରି ବୁଲନ୍ଦସହରର ଏସଏସପି ସନ୍ତୋଷ କୁମାର ସିଂ କହିଛନ୍ତି, ‘ବିବାହ ଉତ୍ସବରେ ଦୁଇ ପକ୍ଷଙ୍କ ଝଗଡା ବନ୍ଦ କରିବାକୁ ଆସିଥିବା ଯୁବକ ଜଣେ ତଳେ ପଡିଯାଇଥିଲେ । ଆଉ ତାଙ୍କୁ ହାର୍ଟ ଆସିଥିଲା । ଯାହାଦ୍ବାରା ତାଙ୍କ ମୃତ୍ୟୁ ହୋଇଛି ।’