ହାଇଦ୍ରାବାଦ: ମହାକାଶରେ ଇତିହାସ ସୃଷ୍ଟି କଲା ଇସ୍ରୋର ମୁନ ମିଶନ ଚନ୍ଦ୍ରଯାନ-3। ଲ୍ୟାଣ୍ଡର ଆଜି(ବୁଧବାର) ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ତେବେ ଚୀନ୍, ଆମେରିକା ଏବଂ ଋଷ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ ହେଁ ଦକ୍ଷିଣ ମେରୁରେ ପହଞ୍ଚିବା କୌଣସି ଦେଶ ପକ୍ଷେ ସମ୍ଭବ ହୋଇନଥିଲା। ଯାହା ପ୍ରଥମ ଦେଶ ଭାବେ କରି ଦେଖାଇଛି ଭାରତ । ତେବେ ଜାଣନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁ କାହିଁକି ସ୍ବତନ୍ତ୍ର ଏବଂ ଭାରତର ଏହି ମିଶନ ଐତିହାସିକ କାହିଁକି?
ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିଛି। ଏହା ହେଉଛି ଚନ୍ଦ୍ରର ସେହି ଅଂଶ ଯେଉଁଠାରେ ଏପର୍ଯ୍ୟନ୍ତ କେହି ପହଞ୍ଚି ପାରି ନାହାଁନ୍ତି। ଏହା ପୂର୍ବରୁ ମଧ୍ୟ ଭାରତ ସହିତ ଅନେକ ଦେଶ ଏହି ଭାଗରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ସଫଳତା ପାଇପାରିନଥିଲେ। 2019 ମସିହାରେ ଭାରତର ଚନ୍ଦ୍ରଯାନ-2 ଦକ୍ଷିଣ ମେରୁରେ ଅବତରଣ କରିବା ଠାରୁ କିଛି ଦୂରରେ କ୍ରାସ ହୋଇଯାଇଥିଲା। ଏହାପରେ ଚନ୍ଦ୍ରଯାନ-2ର ବିଫଳତାର କିଛି ଅନୁଭୂତି ଏବଂ ତ୍ରୁଟିକୁ ଆଖିଆଗରେ ରଖି ଇସ୍ରୋ ଆରମ୍ଭ କରିଥିଲା ଚନ୍ଦ୍ରଯାନ-3।
ଚନ୍ଦ୍ରଯାନ-3 କାହିଁକି ସ୍ବତନ୍ତ୍ର: ଭାରତର ଚନ୍ଦ୍ରଯାନ-3 ଉତକ୍ଷେପଣ ହେବାର କିଛି ଦିନ ପରେ ହିଁ ଋଷ ନିଜର ମୁନ ମିଶନ ଆରମ୍ଭ କରିଥିଲା। ଅଗଷ୍ଟ 11 ତାରିଖରେ ଋଷର ଲୁନା-25 କୁ ଲଞ୍ଚ କରାଯାଇଥିଲା। କିନ୍ତୁ ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଗତ ରବିବାର ଦିନ କ୍ରାସ ହୋଇଯାଇଥିଲା ଲୁନା-25। ତେବେ ବିଶ୍ବବାସୀଙ୍କ ନଜର ବର୍ତ୍ତମାନ ଚନ୍ଦ୍ରଯାନ-3 ଉପରେ ରହିଥିଲା। ସମସ୍ତ ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂକୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଏହାରି ଭିତରେ ବିଶେଷଜ୍ଞ ଡ. ଭି.ଟି ଭେଙ୍କଟେଶ୍ୱରନ୍ ଚନ୍ଦ୍ରର ଦକ୍ଷିଣ ମେରୁର କିଛି ଦିଗ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଏହା ମଧ୍ୟ ପଢନ୍ତୁ: Live Show Of Chandrayaan 3: ଉତକ୍ଷେପଣଠାରୁ ଲ୍ୟାଣ୍ଡିଂ ଯାଏଁ, କେମିତି ରହିଛି ଯାତ୍ରା
ଚନ୍ଦ୍ରର ଦକ୍ଷିଣ ମେରୁରେ କଣ ରହିଛି? : ଡ. ଭି.ଟି ଭେଙ୍କଟେଶ୍ୱରନଙ୍କ କହିବା ଅନୁସାରେ, "ଚନ୍ଦ୍ରର ଦକ୍ଷିଣ ପୋଲ ନିଜର ବିଶେଷତା ଏବଂ ସମ୍ଭାବ୍ୟ ବୈଜ୍ଞାନିକ ମୂଲ୍ୟା ପାଇଁ ବୈଜ୍ଞାନିକଙ୍କ ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ସାଜିଛି । ଦକ୍ଷିଣ ମେରୁରେ ଜଳ ଏବଂ ବରଫର ଭଣ୍ଡାର ରହିଥିବା ନେଇ ଅନୁମାନ କରାଯାଉଛି । ଚନ୍ଦ୍ରର ଏହି ଅଂଶ ଅନ୍ଧକାର ମଧ୍ୟରେ ରହିଥାଏ । ଏଠାରେ ରହିଥିବା ଜଳ ଗୁରୁତ୍ୱପୂର୍ଣ୍ଣ । କାରଣ ଏହାକୁ ପାନୀୟ ଜଳ, ଅମ୍ଳଜାନ ଏବଂ ହାଇଡ୍ରୋଜେନ ଭଳି ରକେଟ ଇନ୍ଧନ ଭଳି ଉତ୍ସରେ ପରିଣତ କରାଯାଇପାରିବ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଚନ୍ଦ୍ରର ଏହି ଅଂଶ ସୂର୍ଯ୍ୟ କିରଣଠାରୁ ସବୁଦିନ ପାଇଁ ଦୂରରେ ଏବଂ ଏଠାରେ ତାପମାତ୍ରା -230 ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ। ଦକ୍ଷିଣ ମେରୁର ଗଠନ ଚନ୍ଦ୍ରର ଅନ୍ୟ ମେରୁ ଠାରୁ ଭିନ୍ନ ହୋଇଥାଏ। ଚନ୍ଦ୍ରର ଏହି ଅଞ୍ଚଳରେ ଉପସ୍ଥିତ ଥିବା ଜଳ ବରଫ ଆକାରରେ ଫ୍ରିଜ୍ ହୋଇପାରେ।"
ପ୍ରକାଶଥାଉକି ଡକ୍ଟର ଭି.ଟି ଭେଙ୍କଟେଶ୍ୱରନ ବିଜ୍ଞାନ ଏହଂ ପ୍ରଯୁକ୍ତିବିଦ୍ୟା ବିଭାଗର ଅଧିନରେ ଥିବା ଏକ ସ୍ବୟଂଶାସିତ ସଂଗଠନ ତଥା ଭାରତୀୟ ଜ୍ୟୋର୍ତିବିଜ୍ଞାନି ପରିଷଦର ଜନସମ୍ବାଦ ସମିତିର ସଦସ୍ୟ ଅଟନ୍ତି।
ଏହା ମଧ୍ୟ ପଢନ୍ତୁ: Chandrayaan3: ଆଜି ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3, ଜାଣନ୍ତୁ କେମତି ହୁଏ ଲ୍ୟାଣ୍ଡିଂ
ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଚତୁର୍ଥ ଦେଶ: କୋମଳ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କ୍ଷେତ୍ରରେ ଭାରତର ଏହି ମିଶନ ସ୍ବତନ୍ତ୍ର ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଆମେରିକା, ଋଷ ଏବଂ ଚୀନ୍ ଚନ୍ଦ୍ର ପୃଷ୍ଠରେ ନରମ ଅବତରଣ କରିବାରେ ସକ୍ଷମ ହୋଇଛନ୍ତି। ଚନ୍ଦ୍ରୟାନ -3 ର ସଫ୍ଟ ଲ୍ୟାଣ୍ଡିଂ ସହିତ ଭାରତ ମଧ୍ୟ ଏହି ସଫଳତା ହାସଲ କରିଛି। ଭାରତ 14 ଜୁଲାଇରେ ଚନ୍ଦ୍ରଯାନ-3 ମିଶନ ଆରମ୍ଭ କରିଥିଲା। ଏହାର ବିକ୍ରମ ଲ୍ୟାଣ୍ଡର ଆଜି ରୋଭର ପ୍ରଜ୍ଞାନ ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ