ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀରୁ ପ୍ରଥମ ସ୍ବଦେଶୀ ମାନବବାହୀ ମହାକାଶ ଅଭିଯାନ ଗଗନଯାନର ସିରିଜ୍ ପରୀକ୍ଷଣ ଆରମ୍ଭ କରିବ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ(First test flight of Gaganyaan mission in February next year) । ଏନେଇ ଗୁରୁବାର(ଫେବ୍ରୁଆରୀ 27)ରେ ଗବେଷଣା ସଂସ୍ଥାନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସ୍ପେସ୍ ଏଜେନ୍ସି କ୍ରୁ ମଡ୍ୟୁଲ୍ ପରୀକ୍ଷା କରିବା ପାଇଁ ହେଭି-ଲିଫ୍ଟ ଚିନୁକ୍ ହେଲିକପ୍ଟର ଏବଂ ସି-17 ଗ୍ଲୋବମାଷ୍ଟର ପରିବହନ ବିମାନ ନିୟୋଜିତ କରିବାକୁ ଯୋଜନା କରିଛି, ଯାହା ଗଗନଯାନ ମାନବ ମହାକାଶ ଉଡ଼ାଣ ମିଶନର ତିନି ଦିନ ପାଇଁ ମହାକାଶଚାରୀଙ୍କୁ କକ୍ଷପଥରେ ନେବ ବୋଲି ISROର ମାନବ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର(ISRO Human Space Flight Centre) ନିର୍ଦ୍ଦେଶକ ଆର୍ ଉମାମହେଶ୍ବରନ୍ କହିଛନ୍ତି ।
ଇଣ୍ଡିଆ ସ୍ପେସ୍ କଂଗ୍ରେସକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ISROର ବୈଜ୍ଞାନିକମାନେ ପରିବେଶ ନିୟନ୍ତ୍ରଣ ପ୍ରଣାଳୀର ଡିଜାଇନ୍ ସମାପ୍ତ କରିଛନ୍ତି, ଯାହା ପୃଥିବୀ ପରିକ୍ରମା କରିବା ସମୟରେ କ୍ରୁ ସର୍ଭିସ୍ ମଡ୍ୟୁଲରେ ମହାକାଶଚାରୀଙ୍କ ପାଇଁ ପରିବେଶର ଅବସ୍ଥା ନିଶ୍ଚିତ କରିବ । ଆସନ୍ତା ବର୍ଷ ଡିସେମ୍ବରରେ ମାନବ ବିହୀନ ମହାକାଶ ଉଡ଼ାଣ କରିବା ପୂର୍ବରୁ ISRO ଦ୍ବାରା ଅତି କମରେ 17 ଟି ଭିନ୍ନ ପରୀକ୍ଷା ଯୋଜନା କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018 ସ୍ବାଧୀନତା ଦିବସ ଅଭିଭାଷଣରେ ଗଗନଯାନ ମିଶନ ନେଇ ଘୋଷଣା କରିଥିଲେ, ଯାହା 2022 ମସିହାରେ ହାସଲ କରିବାର ଲକ୍ଷ୍ୟ ରହିଥିଲା । ମାତ୍ର କୋଭିଡ ମହାମାରୀ କାରଣରୁ ମିଶନରେ ବିଳମ୍ବ ଘଟିଥିଲେ ମଧ୍ୟ ପ୍ରଥମ ଭାରତୀୟ ମହାକାଶଚାରୀମାନେ 2024 ଶେଷ କିମ୍ବା 2025 ପ୍ରାରମ୍ଭ ସୁଦ୍ଧା ମହାକାଶରେ ଅବତରଣ କରିବାର ସମ୍ଭାବନା ରହିଛି । ଏହି ଅଭିଯାନରେ 4 ଜଣ ମହାକାଶଚାରୀଙ୍କୁ 7 ଦିନ ପାଇଁ ମହାକାଶକୁ ପଠାଯିବ । ଏଥିପାଇଁ ମନୋନୀତ ମହାକାଶଚାରୀଙ୍କ ତାଲିମ୍ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି ।
ଉମାମହେଶ୍ୱରନ୍ କହିଛନ୍ତି ଯେ, କ୍ରୁ ମଡ୍ୟୁଲ୍ ଏବଂ ପରିବେଶ ନିୟନ୍ତ୍ରଣ ପ୍ରଣାଳୀର ପରିକଳ୍ପନା କରିବା ଏକ ଆହ୍ବାନ ଥିଲା । କାରଣ ଯେତେବେଳେ ସ୍ପେସ୍ କ୍ୟାପସୁଲ ବାହାରେ ତାପମାତ୍ରା 2000 ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ, ସେତେବେଳେ ପୁନ-ପ୍ରବେଶ(Re-Entry) ପର୍ଯ୍ୟାୟରେ ମହାକାଶଚାରୀମାନେ ଆରାମଦାୟକ ଅନୁଭବ କରିବା ଉଚିତ । ସାଟକମ୍ ଇଣ୍ଡଷ୍ଟ୍ରି ଆସୋସିଏସନ୍(SatCom Industry Association) ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, "କ୍ରୁ ମଡ୍ୟୁଲ୍, ଯେଉଁଠାରେ ମହାକାଶଚାରୀମାନେ ବସି ଉଡ଼ିବା ଉଚିତ୍, ତାହା ସମ୍ପୂର୍ଣ୍ଣ ହୋଇଛି ଏବଂ ନିର୍ମାଣ କାର୍ଯ୍ୟ ଚାଲିଛି । ଛଅ ମାସ ମଧ୍ୟରେ ଆମେ କ୍ରୁ ମଡ୍ୟୁଲ୍ ପାଇବୁ ।"