ହାଇଦ୍ରାବାଦ: 2023 ଅଗଷ୍ଟ 23 ଭାରତ ପାଇଁ ଏକ ଐତିହାସିକ ଦିନ । ଭାରତର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-3କୁ ମିଳିଛି ବଡ ସଫଳତା । ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଛି ଭାରତ । ଚନ୍ଦ୍ରଯାନ-3 ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହାପରେ 140 କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3କୁ ସଫ୍ଟ ଲ୍ୟାଣ୍ଡିଂ କରାଇ ଭାରତ ବିଶ୍ବର ପ୍ରଥମ ଦେଶର ମାନ୍ୟତା ପାଇଛି । ଇସ୍ରୋର ଏହି ବଡ ସଫଳତା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଚନ୍ଦ୍ରଯାନ-3ର ବଜେଟ କିଛି ହଲିଉଡ ଚଳଚ୍ଚିତ୍ରର ବଜେଟ ଠାରୁ ମଧ୍ୟ କମ ରହିଥିଲା । ତେବେ ଏହି ସଫଳତା ପଛରେ ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ସହ ଅନେକ ବୈଜ୍ଞାନିକଙ୍କ ହାତ ରହିଛି ।
1. ଇସ୍ରୋ ମୁଖ୍ୟ ଏସ ସୋମନାଥ: ଚନ୍ଦ୍ରଯାନ-3 ପାଇଁ ହୋଇଥିବା ସମସ୍ତ ପ୍ରକାର କାର୍ଯ୍ୟଭାର ଏସ ସୋମନାଥଙ୍କ ଉପରେ ନ୍ୟସ୍ତ ରହିଥିଲା । ମୁନ ମିଶନର ବ୍ରେନ ବିହାଇଣ୍ଡ ବୋଲି ମଧ୍ୟ କୁହାଯାଉଛି । ଇସ୍ରୋର କାର୍ଯ୍ୟଭାର ସମ୍ଭାଳିବା ପରେ ଆଦିତ୍ୟ ଏଲ 1 ଏବଂ ଗଗନଯାନ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ମିଶନରେ କାମ କରିଛନ୍ତି । ତେବେ ବୁଧବାର ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଖୁସିରେ ଚିତ୍କାର କରିଥିଲେ ଇସ୍ରୋ ମୁଖ୍ୟ । କହିଥିଲେ, " ଆମେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିପାରିଛୁ । ଭାରତ ବର୍ତ୍ତମାନ ଚନ୍ଦ୍ରରେ ପହଞ୍ଚି ସାରିଛି ।"ଭାରତର ସ୍ପେସ୍ ଏଜେନ୍ସିର ମୁଖ୍ୟ ହେବା ପୂର୍ବରୁ ସୋମନାଥ ବିକ୍ରମ ସାରବାଇ ସ୍ପେସ୍ ସେଣ୍ଟର (VSSC) ଏବଂ ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
2. ଚନ୍ଦ୍ରଯାନ-3 ପ୍ରୋଜେକ୍ଟର ନିର୍ଦ୍ଦେଶକ ପି. ଭିରାମୁଥୁଭେଲ: 2019 ମସିହାରେ ପି. ଭିରାମୁଥୁଭେଲ୍ ଚନ୍ଦ୍ରଯାନ-3ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ଇସ୍ରୋ ମୁଖ୍ୟାଳୟରେ ସ୍ସେସ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଗ୍ରାମ କାର୍ଯ୍ୟାଳୟରେ ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ସୂଚନା ଅନୁସାରେ ଇସ୍ରୋର ଦ୍ବିତୀୟ ମୁନ ମିଶନ ଚନ୍ଦ୍ରଯାନ-2ରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ସେ ମାଡ୍ରାସ ଆଇଆଇଟିର ଆଲୁମିନି ଅଟନ୍ତି ।
3. ମିଶନ ନିର୍ଦ୍ଦେଶକ ମୋହନ କୁମାର: ବିକ୍ରମ ସରବାହି ସ୍ପେସ ସେଣ୍ଟରର ବରିଷ୍ଠ ବୈଜ୍ଞାନିକ ଥିଲେ ମୋହନ କୁମାର । ତାଙ୍କର ଚନ୍ଦ୍ରଯାନ-3ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଚନ୍ଦ୍ରଯାନ-3 ଲଞ୍ଚ ସମୟରେ ଯେଉଁ ରକେଟ ବ୍ୟବହୃତ ହୋଇଥିଲା ତାହାର ଦାୟିତ୍ବ ନେଇଥିଲେ ମୋହନ କୁମାର । ଏହା ପୂର୍ବରୁ ସେ LVM3-M3 ମିଶନରେ OneWeb India 2 ଉପଗ୍ରହର ଉତକ୍ଷେପଣରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ମୋହନ କୁମାର କହିଛନ୍ତି ଯେ, LVM3ର ବ୍ୟବହାର ପାଇଁ ଆମ ଟିମ କଠିନ ପରିଶ୍ରମ କରିଥିଲୁ ଏବଂ ବର୍ତ୍ତମାନ ମଧ୍ୟ କାର୍ଯ୍ୟ ଜାରି ରଖିଛୁ ।
4.ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟର ଡିରେକ୍ଟର ଏସ୍. ଉନ୍ନିକିଷ୍ଣନ ନାଏର: LVM3 ରକେଟର ନିର୍ମାତା ହେଉଛନ୍ତି ଏସ୍. ଉନ୍ନିକିଷ୍ଣନ ନାଏର। ଏହି ରକେଟ କେରଳର ଥିରୁଅନନ୍ତପୁରମ ଜିଲ୍ଲାରେ ତିଆରି ହୋଇଥିବା ବେଳେ ସେ ଏହି କାର୍ଯ୍ୟର ଦାୟିତ୍ବ ନେଇଥିଲେ। ଏହାସହିତ ସେ ଅନେକ ମିଶନରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ତାଙ୍କ ଦ୍ବାରା ନିର୍ମିତ ରକେଟ 100 ପ୍ରତିଶତ ସଫଳ ହୋଇଛି । ସେ ଅନେକ ଜଟିଳ କାର୍ଯ୍ୟର ମଧ୍ୟ ଦାୟିତ୍ବ ନେଇଥିଲେ।
5. ୟୁ. ଆର ରାଓ ସାଟେଲାଇଟ୍ ସେଣ୍ଟର ଡିରେକ୍ଟର ଏମ୍, ଶଙ୍କରନ: ୟୁ. ଆର ରାଓ ସାଟେଲାଇଟ୍ ସେଣ୍ଟର ଡିରେକ୍ଟର ବା ନିର୍ଦ୍ଦେଶକ ଥିଲେ ଏମ୍, ଶଙ୍କରନ। ଏହି କେନ୍ଦ୍ର ଇସ୍ରୋ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଉପଗ୍ରହ ତିଆରି କରିଥିଲା। କମ୍ୟୁନିକେସନ, ନାଭିଗେସନ, ରିମୋଟ ସେନ୍ସେସିଙ୍ଗ କାର୍ଯ୍ୟଭାର ନେଇଥିଲେ। ଆମେ ଏହି ମିଶନକୁ ସଫଳ କରିବା ପାଇଁ ଦୀର୍ଘ 4 ବର୍ଷ ଧରି କାର୍ଯ୍ୟ କରିଥିବା ସେ କହିଛନ୍ତି।
6.ଲଞ୍ଚ ଅଥୋରାଇଜେସନ୍ ବୋର୍ଡ ମୁଖ୍ୟ ଏ. ରାଜରାଜନ: ରାଜରାଜନ ଶ୍ରୀହରିକୋଟା ସତୀଶ ଧାଓ୍ବୱ ସ୍ସେସ ସେଣ୍ଟରର ନିର୍ଦ୍ଦେଶକ ଥିଲେ। ତାଙ୍କର ଚନ୍ଦ୍ରଯାନ-3ରେ ମଧ୍ୟ ବରିଷ୍ଠ ଅବଦାନ ରହିଛି । ମୁଁ ଏହି ପ୍ରୋଜେକ୍ଟ ପାଇଁ ପୁରା ଟିମକୁ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ଲଞ୍ଚ ଅଥୋରାଇଜେସନ୍ ବୋର୍ଡ ମୁଖ୍ୟ ଏ. ରାଜରାଜନ ।
ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କେ କଳ୍ପନା: ଚନ୍ଦ୍ରଯାନ-3 ମିଶନରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ କେ କଳ୍ପନା। ଏହା ପୂର୍ବରୁ ସେ ଚନ୍ଦ୍ରଯାନ-2 ଏବେ ମଙ୍ଗଳୟାନ ମିଶନରେ ମଧ୍ୟ କାର୍ଯ୍ୟ କରିଥିଲେ।
ତେବେ ଏମାନଙ୍କ ବ୍ୟତିତ 54 ଜଣ ମହିଳା ଇଞ୍ଜିନିୟର ବା ବୈଜ୍ଞାନିକଙ୍କ ଅବଦାନ ମଧ୍ୟ ରହିଛି । ଇସ୍ରୋର ସୂଚନା ଅନୁସାରେ ସେମାନେ ଆସୋସିଏଟ ଏବଂ ଡେପୁଟି ପ୍ରୋଜେକ୍ଟ ଡିରେକ୍ଟର ଭାବେ କାର୍ଯ୍ୟ କରୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ