ଲେଖକ- ଡଃ ଏନଭିଆର ଜ୍ୟୋତି କୁମାର (ପ୍ରଫେସର, ବାଣିଜ୍ୟ ବିଭାଗ, ମିଜୋରାମ ସେଣ୍ଟ୍ରାଲ ୟୁନିଭର୍ସିଟି)
ହାଇଦ୍ରାବାଦ: ପ୍ରତି ବର୍ଷ ଡିସେମ୍ବର ୯ ତାରିଖରେ ପାଳିତ ହୁଏ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ । ଦୁର୍ନୀତିକୁ ରୋକିବା ଲାଗି ଏହି ଦିବସରେ ସଚେତନତା ସୃଷ୍ଟି କରାଯାଏ । ଦୁର୍ନୀତି ଯେକୌଣସି ବିଭାଗରେ ହେଲେ ଏହା ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ । ଏହାସହ ଅର୍ଥନୈତିକ ବିକାଶରେ ବାଧା ସୃଷ୍ଟି କରିଥାଏ । ଦୁର୍ନୀତି ହେବା ଦ୍ବାରା ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଏବଂ ନ୍ୟାୟପାଳିକା ଭଳି କ୍ଷେତ୍ରରେ ସୁବିଧା ଉପଲବ୍ଧ କରିବାରେ ବାଧା ସୃଷ୍ଟି କରେ । ଉଦାହରଣ ଭାବେ ଦେଖିଲେ ଯଦି ସରକାରୀ ଡାକ୍ତରଖାନା ପାଇଁ ଔଷଧ ଏବଂ ଚିକିତ୍ସା ଉପକରଣ କ୍ରୟରେ ଦୁର୍ନୀତି ହୁଏ, ତେବେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଦୀର୍ଘ ଦିନ ଧରି ପ୍ରତିକୂଳ ପ୍ରଭାବ ପକାଏ ।
ପରୀକ୍ଷାମୂଳକ ଅଧ୍ୟୟନରୁ ଜଣାପଡିଛି ଯେ ଗରିବ ଶ୍ରେଣୀର ଲୋକେ ଆୟର ସର୍ବାଧିକ ଭାଗ ଲାଞ୍ଚ ପ୍ରଦାନ କରନ୍ତି । କିଛି ଅଧ୍ୟୟନରୁ ଜଣାପଡିଛି ଯେ ଅଭିଯୋଗ କରିବାକୁ ପାଖରେ ଅର୍ଥ ସମ୍ବଳ ନଥିବାରୁ ଗରିବ ଲୋକେ ଭୟଭୀତ ହୋଇ ଦୁର୍ନୀତିର ଶିକାର ହୁଅନ୍ତି । ଦୁର୍ନୀତି ଯୋଗୁଁ ଅର୍ଥନୈତିକ ବିକାଶ ଓ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଯେଉଁଠି ଦୁର୍ନୀତି ନାହିଁ, ସେହି ଦେଶର ସମାଜ ଓ ଅର୍ଥନୀତି ଅଧିକ ସୁଦୃଢ । ସବୁଠାରୁ ବହୁ ପ୍ରଭାବଶାଳୀ ଦୁର୍ନୀତି ରାଜନୈତିକ କ୍ଷେତ୍ରରେ ଦେଖିବାକୁ ମିଳେ । କ୍ଷମତା ବଜାୟ ରଖିବା ଲାଗି ରାଜନେତମାନେ ଦୁର୍ନୀତିର ସହାୟତାରେ କୌଣସି ବିଭାଗ ଓ ଅଫିସରଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି । ଏହି ସମସ୍ତ କ୍ଷେତ୍ରରେ ଦୁର୍ନୀତି ହେଲେ ଦେଶରେ ରୂପାନ୍ତରଣ ଓ ନିରନ୍ତର ବିକାଶ ସଙ୍କଟରେ ପଡ଼ିଯିବା ସ୍ବାଭାବିକ ।
ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ର ଉପରେ ଦୁର୍ନୀତିକୁ ରୋକିବା ଲାଗି ବ୍ୟବସ୍ଥା ମଧ୍ୟ ରହିଛି । ସରକାରୀ କ୍ଷେତ୍ରରେ କର୍ମଚାରୀମାନେ ବୃତ୍ତିଗତ ତଥା ନୈତିକ ଆଚରଣ ବିଧି ଅନୁଯାୟୀ କାର୍ଯ୍ୟ କରିବା ଉଚିତ । ସାର୍ବଜନୀନ ଆର୍ଥିକ ପ୍ରସଙ୍ଗରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବକୁ ମଧ୍ୟ ପ୍ରୋତ୍ସାହନ ଦେବା ଆବଶ୍ୟକ । ବିଶେଷକରି ଜନସାଧାରଣ କ୍ରୟ ଏବଂ ନ୍ୟାୟପାଳିକା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଦୁର୍ନୀତି ନ ହେବା ଉଚିତ । ତେବେ ଦୁର୍ନୀତି ରୋକିବା ପାଇଁ ସମାଜର ସମସ୍ତ ସଦସ୍ୟଙ୍କଠାରୁ ମଧ୍ୟ ଏକ ପ୍ରୟାସ ଆବଶ୍ୟକ । ଦୁର୍ନୀତି ବିରୋଧରେ ଲଢେଇର ପ୍ରତ୍ୟେକ ଦିଗ ଯେପରିକି ଦୁର୍ନୀତି ନିବାରଣ, ଅନୁସନ୍ଧାନ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେଶଗୁଡ଼ିକ ପରସ୍ପରକୁ ସାହାଯ୍ୟ କରିବାକୁ ରାଜି ହୋଇଛନ୍ତି । ଏହାଦ୍ବାରା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏକ ବାର୍ତ୍ତା ଯାଉଛି ଯେ ସେମାନଙ୍କର ବେଆଇନ ସମ୍ପତ୍ତି ଲୁଚାଇବାକୁ ସ୍ଥାନ ନାହିଁ ।
୨୦୨୨ ସିପିଆଇ ଦର୍ଶାଉଛି ଯେ ଅଧିକାଂଶ ଦେଶ ଦୁର୍ନୀତି ନିବାରଣ କ୍ଷେତ୍ରରେ ଫେଲ୍ ମାରିଛନ୍ତି । ଶୂନରୁ ୧୦୦ ପର୍ଯ୍ୟନ୍ତ ସିପିଆଇ ବିଶ୍ବର ୧୮୦ଟି ଦେଶକୁ ସ୍ଥାନିତ କରିଛି । ଦୁର୍ନୀତି କ୍ଷେତ୍ରରେ ଏକ ଦଶନ୍ଧି ଧରି ବିଶ୍ବର ହାରାହାରି ସ୍କୋର ୧୦୦ରୁ ୪୩ରେ ରହିଛି । ଦୁଇ ତୃତୀୟାଂଶରୁ ଅଧିକ ଦେଶ୫୦ରୁ କମ ସ୍କୋର କରିଛନ୍ତି । ୧୮୦ଟି ଦେଶ ମଧ୍ୟରେ ଭାରତ ୮୫ତମ ସ୍ଥାନରେ ରହିଛି । କଳା ଟଙ୍କା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୨୦୧୬ ବିମୁଦ୍ରୀକରଣ ଏକ ବଡ ଧରଣର ପ୍ରଭାବ ପକାଇଥିଲା । ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ବିଦେଶ ପଳାଇଥିବା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାକୁ ୨୦୧୯ ମସିହାରେ ବ୍ରିଟିଶ ନ୍ୟାୟପାଳିକା ଦ୍ବାରା ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ତଥାପି ତାଙ୍କୁ ଭାରତ ପଠାଯିବ ନାହିଁ।
ସେହିଭଳି ହୀରା ବ୍ୟବସାୟୀ ନୀରବ ମୋଦିକୁ ୨୦୧୯ରେ ଗିରଫ କରାଯିବା ପରଠାରୁ ଦକ୍ଷିଣ ଲଣ୍ଡନର ୱାଣ୍ଡସୱର୍ଥ ଜେଲରେ ରଖାଯାଇଛି । ୨୦୨୦ ମସିହାରେ ଭାରତ ସରକାର ଲୋକସଭାକୁ ସୂଚନା ଦେଇଛନ୍ତି ଯେ ଆର୍ଥିକ ଠକେଇ ଅଭିଯୋଗରେ ସମୁଦାୟ ୭୧ ଜଣ ଭାରତୀୟ ବର୍ତ୍ତମାନ ବିଦେଶରେ ଅଛନ୍ତି ଏବଂ ସେମାନଙ୍କୁ ଦେଶକୁ ଆଣିବା ଲାଗି ଉଦ୍ୟମ ଜାରି ରହିଛି । ଏମାନଙ୍କ ମଧ୍ୟରୁ କେବଳ ଦୁଇଜଣ ପଳାତକଙ୍କୁ ଭାରତକୁ ଫେରାଇ ଅଣାଯାଇଛି। ତେବେ ପ୍ରତ୍ୟେକ ଦେଶ ପରସ୍ପରକୁ ସହାୟତା କଲେ ଦୁର୍ନୀତି ନିବାରଣ ଅନେକାଂଶରେ ସହଜ ହୋଇପାରନ୍ତା ।
ବିଶେଷଜ୍ଞଙ୍କ ମତରେ ଦୁର୍ନୀତି ବିରୋଧ ଲଢିଇରେ ସଫଳ ହେବା ପାଇଁ 'ପାଞ୍ଚଟି ଭୁଲ'କୁ ସୁଧାରିବା ଆବଶ୍ୟକ । ପ୍ରଥମରେ ଯେତେବେଳେ ଦେଶ ଦୁର୍ନୀତି ବିରୋଧୀ ଲଢେଇରେ ଦୁର୍ନୀତିଗ୍ରସ୍ତ ରାଜନୈତିକ ନେତାଙ୍କ ଉପରେ ନିର୍ଭର କରେ, ଦ୍ବିତୀୟରେ ରାଜନୈତିକ ନେତାଙ୍କ ଦୁର୍ନୀତି ମାମଲାର ଅନୁସନ୍ଧାନ ପାଇଁ ଦୁର୍ନୀତିଗ୍ରସ୍ତ ପୋଲିସ କିମ୍ବା ଅନୁସନ୍ଧାନକାରୀ ସଂସ୍ଥା ଉପରେ ନିର୍ଭର କରିବା, ତୃତୀୟରେ ଏକାଧିକ ଦୁର୍ନୀତି ନିବାରଣ ଏଜେନ୍ସି ଉପରେ ନିର୍ଭର କରିବା ଦ୍ବାରା ସମନ୍ବୟର ଅଭାବ, ଚତୁର୍ଥରେ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ବିରୋଧୀଙ୍କ ବିରୁଦ୍ଧରେ ବ୍ୟବହାର କରିବା ଏବଂ ପଞ୍ଚମରେ ଆବଶ୍ୟକୀୟ କ୍ଷମତା ବିନା ଏକାଧିକ ତଦନ୍ତକାରୀ ସଂସ୍ଥା ଗଠନ କରିବା । ଦୁର୍ନୀତି ନିବାରଣ ନିଶ୍ଚିତ ଏକ ଆହ୍ବାନ । ତଥାପି ଏଥିରେ ସଫଳ ହେବା ପାଇଁ ରାଜନୈତିକ ଇଚ୍ଛାଶକ୍ତି, ଶୂନ୍ୟ ସହନଶୀଳତା ନୀତି ସହ ଜନସାଧାରଣଙ୍କ ସମର୍ଥନ ମଧ୍ୟ ଆବଶ୍ୟକ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)