ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ପତନକୁ ଆଜି ବର୍ଷେ ପୁରିଛି । ଏହାସହିତ ପଡୋଶୀ ଦେଶ ପାକିସ୍ତାନର ମହାମେଣ୍ଟ ସରକାରକୁ ମଧ୍ୟ ବର୍ଷେ ପୁରିଥିବା ବେଳେ ସ୍ଥିତି ଯେମିତିକୁ ସେମିତି । ଦେଶରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସମସ୍ତ ଉଦ୍ୟମ ଏକପ୍ରକାର ବିଫଳ ହୋଇଛି । ଆଜି ବି ଆର୍ଥିକ ସଙ୍କଟ ସହିତ ସଂଘର୍ଷ କରୁଛନ୍ତି ଦେଶବାସୀ । ଇମ୍ରାନ ସରକାରର ପତନ ପରେ ଦେଶର ରାଜନୈତିକ ଓ ଆର୍ଥିକ ସ୍ଥିତି କଣ ରହିଛି ତାହା ଉପରେ ଇଟିଭି ଭାରତର ଏହି ସମ୍ପାଦକୀୟରେ ଆଲୋଚନା ହୋଇଛି ।
୨୦୨୨ ଏପ୍ରିଲ ୧୦ ତାରିଖ । ଅନାସ୍ଥା ପ୍ରସ୍ତାବ ଭୋଟିଂରେ ହାରିବା ପରେ ଘଟିଥିଲା ଇମ୍ରାନ ସରକାରଙ୍କ ପତନ । ପାକିସ୍ତାନ ସଂସଦର ମୋଟ ସଦସ୍ୟ ସଂଖ୍ୟା ୩୪୨ ଥିବା ବେଳେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଇମ୍ରାନଙ୍କୁ ମିଳିଥିଲା ୧୭୪ଟି ଭୋଟ । ଏହାପରେ ପରାଜୟ ବରଣ କରିଥିଲେ ଇମ୍ରାନ । ଜୋରଜବରଦସ୍ତ ନୁହେଁ, ବରଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିଲେ ଇମ୍ରାନ । ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଏପରି ନିଜ ପଦରୁ ହଟିଥିଲେ ଇମ୍ରାନ । ଆଉ ଏହି ସମୟରେ ଦେଶ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା । ଏହାପରେ ପାକିସ୍ତାନରେ ଗଠିତ ହୋଇଥିଲା ମହାମେଣ୍ଟ ସରକାର ।
ଶେହବାଜ ଶରିଫଙ୍କ ନେତୃତ୍ବାଧୀନ ମହାମେଣ୍ଟ ସରକାର ଦେଶର ସମସ୍ତ ସମସ୍ୟାକୁ ସମାଧାନ କରିବ ବୋଲି ପ୍ରତିଶୃତି ଦେଇଥିଲା । ଦେଶକୁ ଭୟଙ୍କର ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ଲାଗି ଆଇଏମଏଫ (IMF) ସହିତ ଆଲୋଚନା ହୋଇଥିଲା, ହେଲେ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ବାହାରି ପାରିଲା ନାହିଁ । ଦେଶବାସୀଙ୍କୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ଲାଗି କିଛି ପଦକ୍ଷେପ ମଧ୍ୟ ଗ୍ରହଣ କରାଗଲା, ହେଲେ ତାର କୌଣସି ସକରାତ୍ମକ ଫଳ ଦେଖିବାକୁ ମିଳିଲା ନାହିଁ । ସେପଟେ ଋଷରୁ ଶସ୍ତାରେ ତେଲ କିଣିବା ଲାଗି ଦେଶ ନିକଟରେ କିଛି ଆଶା ରହିଥିଲା, ହେଲେ ତାହା ମଧ୍ୟ ହୋଇପାରିଲା ନାହିଁ ।
ଗତ ୨୩ ବର୍ଷ ମଧ୍ୟରେ ମସ୍କୋକୁ ଯାତ୍ରା କରିବାରେ ଇମ୍ରାନ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ । ହେଲେ ସେ ଶସ୍ତାରେ ଋଷଠାରୁ ତେଲ କିଣିବା ଉପରେ ହୋଇଥିବା ବୁଝାମଣାକୁ ଅନ୍ତିମ ରୂପ ଦେଇପାରିଲେ ନାହିଁ । ଭାରତ ପରି ପାକିସ୍ତାନ ଋଷଠାରୁ ଶସ୍ତାରେ ତେଲ କିଣିବା ଲାଗି ପ୍ରୟାସ କରୁଥିଲା । ଶସ୍ତାରେ ଋଷଠାରୁ ତେଲ କିଣୁଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇମ୍ରାନ ପ୍ରଶଂସା କରିଥିଲେ । ମୋଦିଙ୍କ ପଥରେ ଇମ୍ରାନ ଧୀରେ ଧୀରେ ଅଗ୍ରସର ମଧ୍ୟ ହେଉଥିଲେ । ହେଲେ ସଫଳତା ପାଇବା ପୂର୍ବରୁ ସେ ଗାଦିଚ୍ୟୁତ ହେଲେ । ଏହାପରେ ନୂଆ ସରକାର, ଅଧାରେ ଅଟକିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍କ ରୂପ ଦେବାରେ ଅକ୍ଷମ ରହିଲେ । ଯାହାଦ୍ବାରା ଏହି କାର୍ଯ୍ୟ ଯେଉଁଠି ଥିଲା ସେଇଠି ଅଟକି ରହିଛି ।
ଅନ୍ୟପଟେ ଦେଶ ଧୀରେ ଧୀରେ ଆର୍ଥିକ ସଙ୍କଟରେ ବୁଡିଯିବାକୁ ବସିଛି । ଦେଶର ରାଜ୍ୟଗୁଡ଼ିକରେ ଇମ୍ରାନଙ୍କ ଦଳର ମଧ୍ୟ ସମାନ ଅବସ୍ଥା । ଖେବର ପଖତୁନଖୱା ଏବଂ ପଞ୍ଜାବରେ ଇମ୍ରାନଙ୍କ ଦଳ ପିଟିଆଇ (ପାକିସ୍ଥାନ ତେହେରିକ-ଇ-ଇନସାଫ) କ୍ଷମତାରେ ଥିଲା । ଖେବର ପଖତୁନଖବା (KP) ହେଉଛି ଆଫଗାନିସ୍ତାନ ସୀମାବର୍ତ୍ତୀ ଏକ ଆଦିବାସୀ ଅଞ୍ଚଳ । ଏଠାକାର ଲୋକେ ଏହି ଅଞ୍ଚଳରେ ଆତଙ୍କବାଦୀ ଗୋଷ୍ଠୀର ବୃଦ୍ଧି ଏବଂ ତେହେରିକ-ଇ-ତାଲିବାନର ମିଶ୍ରଣ ଦେଖିଛନ୍ତି । ବିଶେଷକରି ଇମ୍ରାନ ସରକାର ପତନ ପରେ ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ଛୋଟ ଆତଙ୍କବାଦୀ ସଂଗଠନଗୁଡ଼ିକ ମୁଖ୍ୟ ଆତଙ୍କୀ ଗୋଷ୍ଠୀ ତେହରିକ-ଇ-ପାକିସ୍ତାନ (TTP) ସହିତ ହାତ ମିଳାଇଥିଲେ । ଏମାନେ ଆଫଗାନ ତାଲିବାନଙ୍କଠାରୁ ପ୍ରଭାବିତ ।
ଗତ ବର୍ଷ ଜାନୁଆରୀ ମାସରେ କେପି ବିଧାନସଭା ଭଙ୍ଗ କରାଯାଇଥିଲା । ଏହାର ମୋଟ ୧୪୫ଟି ଆସନରୁ ପିଟିଆଇର ୯୬ ସଦସ୍ୟ ରହିଥିଲେ । ନିର୍ବାଚନ ଅନୁଷ୍ଠିତ ହେଲେ ଏହା ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ପିଟିଆଇ ଆଶାବାଦୀ ରହିଛି । କେପି ଏବଂ ପଞ୍ଜାବରେ ସାଧାରଣ ନିର୍ବାଚନ କରିବାକୁ ପିଟିଆଇ ଦାବି କରୁଥିବା ବେଳେ ପାକିସ୍ତାନ ସରକାର ବିରୋଧ କରୁଛନ୍ତି । ହେଲେ ଆସନ୍ତା ମେ ୧୪ ତାରିଖରେ କେପି ଏବଂ ପଞ୍ଜାବରେ ନିର୍ବାଚନ ହୋଇପାରିବ ବୋଲି ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି । କିନ୍ତୁ ସରକାର ଏହାକୁ ଅଗଣତାନ୍ତ୍ରିକ ତଥା ଅସାମ୍ବିଧାନିକ ବୋଲି କହି କୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା କରିଛନ୍ତି। ଅନ୍ୟପଟେ କେପିରେ ଆତଙ୍କବାଦୀ ଗୋଷ୍ଠୀର ବିନାଶ ଲାଗି ସରକାର ଏକ ବଡ଼ ଧରଣର ଯୋଜନା କରୁଥିବା ବେଳେ ଏଥିରେ ସାମିଲ ରହିଛନ୍ତି ଉଭୟ ସେନା ଏବଂ ପୋଲିସ ।
ଗତବର୍ଷ ବିରୋଧୀ ବହୁ ସଂଖ୍ୟାରେ ଇସ୍ତଫା ଦେଇଥିବାରୁ ପାକିସ୍ତାନର ନିମ୍ନ ସଦନରେ କୌଣସି ବିରୋଧୀ ସଦସ୍ୟ ନାହାଁନ୍ତି । କେପି ଏବଂ ପଞ୍ଜାବରେ ପିଟିଆଇ ଶୀଘ୍ର ନିର୍ବାଚନ ଚାହୁଁଛି, କିନ୍ତୁ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ସମୟ ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଚଳିତ ବର୍ଷ ମାର୍ଚ୍ଚରେ ପାକିସ୍ତାନ ସୁପ୍ରିମକୋର୍ଟ ECP (ପାକିସ୍ତାନ ନିର୍ବାଚନ ଆୟୋଗ)କୁ ୯୦ ଦିନ ମଧ୍ୟରେ ପଞ୍ଜାବ ଏବଂ କେପିରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ଅଞ୍ଚଳରେ ନିର୍ବାଚନ କରିବା ଅପେକ୍ଷା ପ୍ରଥମେ ଆତଙ୍କବାଦ ନିପାତ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ସରକାର ।
କେପି ଆତଙ୍କବାଦୀ ନେତାଙ୍କ ପ୍ରତି ଇମ୍ରାନଙ୍କ ଆଭିମୁଖ୍ୟ ସର୍ବଦା ନରମ ରହିଆସିଛି । ସେମାନଙ୍କର କିଛି ନେତା କ୍ଷମା ମାଗିବା ପରେ ସେମାନଙ୍କୁ କାରାଗାରରୁ ମୁକ୍ତ କରାଯାଇଥିଲା ଏବଂ ସମାଜରେ ଯୋଗ ଦେବାକୁ ଅନୁମତି ଦିଆଯାଇଥିଲା । ଏଥିଲାଗି ଆଦିବାସୀମାନଙ୍କ ମଧ୍ୟରେ ଇମ୍ରାନଙ୍କ ଲୋକପ୍ରିୟତା ରହିଛି । ଏଣୁ ନିର୍ବାଚନରେ ଆତଙ୍କବାଦୀ ଗୋଷ୍ଠୀ ପିଟିଆଇକୁ ସମର୍ଥନ କରିବେ ଏବଂ ଇମ୍ରାନଙ୍କ ଦଳ କ୍ଷମତାକୁ ଆସିବ । ଏହି କାରଣରୁ ସରକାର ପ୍ରଥମେ ଏହି ଅଞ୍ଚଳରେ ଆତଙ୍କବାଦକୁ ନିପାତ କରିବା ଏବଂ ପରେ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି ।
ସବୁରି ପରେ ଦରଦାମ ବୃଦ୍ଧି ଓ ବେରୋଜଗାର ସହ ସରକାର ଓ ବିରୋଧୀଙ୍କ ରାଜନୈତିକ ଛକାପଞ୍ଝା ମଧ୍ୟରେ ଫସି ରହିଛନ୍ତି ପାକିସ୍ତାନର ସାଧାରଣ ଜନତା । ସମୟ ବଦଳୁଛି । ଏହାସହ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କ 'ପୁରୁଣା ପାକିସ୍ତାନ' କେବେ ଆସିବ ତାକୁ ଚାହିଁବସିଛନ୍ତି ଦେଶବାସୀ ।
ବିଲାଲ ଭଟ୍ଟ, ଇଟିଭି ଭାରତ