ଯୋଧପୁର: ସହରର ବିଲାଡା ପୋଲିସ ଷ୍ଟେସନ ଅଞ୍ଚଳର ଜେଟିଭାସ ଗ୍ରାମରେ ମଙ୍ଗଳବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏକ ଚାଷ ଜମି ଭିତରେ କୁଡିଆ ଘରେ ରହୁଥିବା ପରିବାରର 3 ସଦସ୍ୟଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି ।
କୁଡିଆ ଘରେ ରହୁଥିବା ଜଣେ ଯୁବକ, ମହିଳା ଏବଂ ଶିଶୁଙ୍କୁ ଏହି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଏହାସହ ଆକ୍ରମଣରେ ଦୁଇ ଶିଶୁ ମଧ୍ୟ ଆହତ ହୋଇଛନ୍ତି । ଏମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ହତ୍ୟା ଖବର ପାଇବା ମାତ୍ରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଗ୍ରାମବାସୀ ଏନେଇ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲା ।
ପୋଲିସ ସୂଚନା ଅନୁସାରେ, ଆହତ ପିଲାମାନଙ୍କୁ ପଚରାଉଚରା ବେଳେ ଜଣା ପଡିଥିଲା ଯେ ମଙ୍ଗଳବାର ମଧ୍ୟରାତ୍ରିରେ କେହି ଜଣେ ଅଜଣା ଲୋକ ଆସି ସେମାନଙ୍କୁ ଆକ୍ରମଣ କରିଥିଲା । ପୋଲିସର ପ୍ରଥମ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଦୁର୍ବୃତ୍ତ ରାତିରେ ଶୋଇବା ସମୟରେ ସେମାନଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏହାପରେ ସେମାନଙ୍କ ମୃ୍ତ୍ୟୁ ହୋଇଥିଲା ।
ବର୍ତ୍ତମାନ ପୋଲିସ ନିକଟସ୍ଥ ଗ୍ରାମବାସୀଙ୍କ ସମେତ ପରିବାର ଏବଂ ଅନ୍ୟ ଲୋକଙ୍କୁ ପଚରାଉଚରା ଜାରି ରଖିଛି । ସୂଚନା ଅନୁସାରେ ମୃତକ ଜାବରିଲାଲ କ୍ଷେତରେ ଜଗୁଆଳି କାମ କରିବା ସହ ନିଜେ ଗାଁରେ ଗଛ କାଟି ବିକ୍ରି କରୁଥିଲା ।