ତେହେରାନ: 94 ବର୍ଷ ବୟସରେ ଆଖି ବୁଜିଛନ୍ତି ବିଶ୍ବର ସବୁଠୁ ଅପରିଚ୍ଛନ ବ୍ୟକ୍ତି ଭାବେ ପରିଚିତ ହୋଇଥିବା ଇରାନର ବାସିନ୍ଦା ଓମୁ ହାଜି (Amou Haji) ଆଜି (ମଙ୍ଗଳବାର) ତାଙ୍କର ୯୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ନେଇ ଇରାନର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।
ପ୍ରାୟ ଗତ ଅଧ ଶତାବ୍ଦୀ ଧରି ସେ ଗାଧୋଇ ନଥିଲେ । ସେ ଅବିବାହିତ ଥିବା ବେଳେ ତାଙ୍କର ପରିବାର ମଧ୍ୟ ନଥିଲା । ଅତ୍ୟନ୍ତ ଅପରିଚ୍ଛନ ଭାବେ ସେ ଏକାକୀ ଇରାନର ଦକ୍ଷିଣ ପ୍ରୋଭିନ୍ସରେ ଥିବା ଫାର ଅଞ୍ଚଳରେ ରହି ଆସୁଥିଲେ । ଜନବସତି ବାହାରେ ଏକ ପରିତ୍ୟକ୍ତ କୁଡିଆରେ ସେ ଅତି ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ସମୟ ଅତିବାହିତ କରୁଥିଲେ । ତେବେ ସେ ଅସୁସ୍ଥ ହୋଇପଡିବା ଭୟରେ ଗାଧୋଇବା ପାଇଁ ଚାହୁଁ ନଥିବା ଜଣାପଡିଥିଲା ।
ପରେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ନେଇ ବେଶ ଚର୍ଚ୍ଚା ବଢିଥିଲା । କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ତାଙ୍କ ଉପରେ ରିପୋର୍ଟିଂ କରିବା ସହ କିଛି ସଂସ୍ଥା କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ମଧ୍ୟ ନିର୍ମାଣ କରିଥଲେ । ଚଳଚିତ୍ରର ନାମ ଥିଲା ଅମୁ ହାଜିଙ୍କ ଅଜ୍ଞାତ ଜୀବନ "The Strange Life of Amou Haji" ।
ସେ ଲୋକଲୋଚନକୁ ଆସିବା ପରେ କିଛି ମାସ ପୂର୍ବରୁ ତାଙ୍କୁ ଗ୍ରାମବାସୀ ଉକ୍ତ କୁଡିଆରୁ ଉଦ୍ଧାର କରି ଗାଧୋଇ ଦେବା ସହ ପରିଷ୍କାର, ପରିଚ୍ଛନ ମଧ୍ୟ କରାଇଥିଲେ । ତେବେ ଆଜି ତାଙ୍କର ୯୪ ବର୍ଷ ବୟସରେ ମୃତ୍ୟୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ