ଓ୍ବାଶିଂଟନ ଡିସି: ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ୍ ହାଉସ ସମ୍ମୁଖରେ କାର୍ ଦୁର୍ଘଟଣା । ହ୍ବାଇଟ୍ ହାଉସର ମୁଖ୍ୟ ଫାଟକକୁ ଧକ୍କା ଦେଲା କାର୍ । ଘଟଣାରେ ଗାଡି ଡ୍ରାଇଭରକୁ ଗିରଫ କରାଯାଇଛି । ସୋମବାର ସନ୍ଧ୍ୟା ସମୟରେ ଏହି କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ କାର ଭିତରେ ଥିବା ଡ୍ରାଇଭର ଜଣଙ୍କ ଛିଟିକି ହୋଇ ବାହାରେ ପଡିଯାଇଥିଲେ । ଏହାଦେଖି ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀମାନେ ତାକୁ କାବୁ କରିଥିଲେ । ଏନେଇ ସୂଚନା ଦେଇଛନ୍ତି ସିକ୍ରେଟ୍ ସର୍ଭିସେସ୍ ଚିପ୍ ଅଫ କମ୍ୟୁନିକେସନ ଆନ୍ଥୋନୀ ଗୁଗଲିଏଲିମି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ହ୍ବାଇଟ ହାଉସର ମୁଖ୍ୟ ଫାଟକକୁ ଏକ କାର ଧକ୍କା ଦେଇଛି । ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ଏହି ସମୟରେ ରାଷ୍ଟ୍ରପତି ଜୋ' ବାଇଡେନ ହ୍ବାଇଟ ହାଉସରେ ଉପସ୍ଥିତ ନଥିଲେ । ଦୁର୍ଘଟଣା ପରେ ଷ୍ଟ୍ରିଟ୍ ଏବଂ ପେନସିଲଭାନିଆ ଆଭେନ୍ୟୁରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । କାର ଡ୍ରାଇଭର ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ହ୍ବାଇଟ ହାଉସରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । କାରଟି କେଉଁ କରାଣରୁ ଦୁର୍ଘଟଣାର ଶିକାର ହେଲା ସେନେଇ ତଦନ୍ତ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ-ଅଳ୍ପକେ ବର୍ତ୍ତିଲେ ଜୋ ବାଇଡେନ୍, କାରକେଡ୍ରେ ପିଟିହେଲା କାର୍
2023 ଡିସେମ୍ବର 17 ତାରିଖରେ ଆମେରିକା ରାଷ୍ଟ୍ରପତିଙ୍କ କାରକେଡ୍ର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୋଟରକେଡର ଏକ ଗାଡି ଅନ୍ୟ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ବାଇଡେନ ଓ ତାଙ୍କ ପତ୍ନୀଙ୍କୁ ଅନ୍ୟ ଏକ ଗାଡିକୁ ସୁରକ୍ଷାକର୍ମୀ ନେଇଯାଇଥିଲେ । ଉଭୟଙ୍କର କୌଣସି କ୍ଷୟକ୍ଷତି ହୋଇନଥିଲା । ଡେଲାୱାରରେ ଥିବା କ୍ୟାମ୍ପେନ୍ ହେଡ୍ କ୍ବାଟରରୁ ବାହାରିବା ପରେ ବାଇଡେନଙ୍କ କାରକେଡ୍ରେ ସାମିଲ ଥିବା ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ଏକ ଏସ୍ୟୁଭି କାର ସହ ମୁହାଁମୁହିଁ ଧକ୍କା ହୋଇଥିବା କାରକେଡ୍ରେ ଥିବା କାର ।
ବାଇଡେନଙ୍କଠାରୁ ପ୍ରାୟ 40 ମିଟର ଦୂରରେ ମୋଟରକେଡର କାର ଥିବାବେଳେ ଏସୟୁଭି କାର ସହ ଧକ୍କା ହୋଇଥିଲା । ଏହି କାର ଦୁର୍ଘଟଣା ପରେ ଭୟଭୀତ ହୋଇପଡିଥିଲେ ରାଷ୍ଟ୍ରପତି ଜୋ' ବାଇଡେନ । ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ଗତ ନଭେମ୍ବର ମାସରେ ବାଇଡେନଙ୍କ ନାତୁଣୀଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।