ଆଙ୍କରା: ପୁଣିଥରେ ଭୂକମ୍ପରେ ଥରିଲା ତୁର୍କୀ ଓ ସିରିୟା । ସୋମବାର ରାତିରେ ଉଭୟ ଦେଶର ବର୍ଡରରେ ଦୁଇ ଦୁଇ ଥର ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ଏଥିରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 213 ଜଣ ଆହତ ହୋଇଛନ୍ତି । ତୁର୍କୀର ଦକ୍ଷିଣ ହାଟାଇ ପ୍ରଦେଶରେ 6.4 ତୀବ୍ରତା ଓ ପରେ 5.8 ତୀବ୍ରତାର ଭୂକମ୍ପ ହୋଇଥିବା ଆନାଡୋଲୁ ଏଜେନ୍ସି ରିପୋର୍ଟ କରିଛି । ତିନୋଟି ସ୍ଥାନରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ତୁର୍କୀ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋଏଲୁ କହିଛନ୍ତି । ଏନେଇ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି କହିଛି ଯେ, ସୋମବାର ସନ୍ଧ୍ୟାରେ ତୁର୍କୀର ଦକ୍ଷିଣରେ ଥିବା ହାଟାଇ ପ୍ରଦେଶରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି ।
ତୁର୍କୀର ଆନାଡୋଲୁ ଏଜେନ୍ସି ସୂଚନା ଅନୁଯାୟୀ, ସୋମବାର ରାତି 8ଟା 4 ମିନିଟ ସମୟରେ ଭୂକମ୍ପ ହୋଇଥିଲା । ପ୍ରଥମେ ହାଟାଇ ପ୍ରଦେଶର ଡିଭେନ୍ସ ଜିଲ୍ଲାର 6.4 ତୀବ୍ରତାର ଭୂକମ୍ପ ଘଟିଥିଲା । ଏହାର 3 ମିନିଟ ପରେ 5.8 ତୀବ୍ରତାର ଭୂକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ହାଟାଇର ସମନ୍ଦାଗ ପ୍ରଦେଶରେ ରହିଥିଲା । ପ୍ରଥମ ଭୂକମ୍ପର ଗଭୀରତା 16.7 କିଲୋମିଟର ରହିଥିବା ବେଳେ ଦ୍ବିତୀୟ ଭୂକମ୍ପର ଗଭୀରତା 7 କିଲୋମିଟର ରହିଥିଲା । ଦୁଇ ସପ୍ତାହ ପୂର୍ବେ ହାଟାଇ ଠାରୁ 100 କିଲୋମିଟର ଦୂରରେ ଥିବା କାହରାମାନମାରାସରେ ଭୂକମ୍ପ ହୋଇଥିଲା । ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆନାଡୋଲୁ ଏଜେନ୍ସି ରିପୋର୍ଟ କରିଥିଲା । ତେବେ ସୁନାମୀ ହେବା ଆଶଙ୍କା ଥିବାରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ଆଲର୍ଟ ଜାରି କରାଯାଇଛି । ତୁର୍କୀର ପ୍ରଧାନମନ୍ତ୍ରୀ ମଧ୍ୟ ଉଚ୍ଚଅଟ୍ଟାଳିକା ଠାରୁ ଦୂରରେ ରହିବାକୁ ଉକ୍ତ ଅଞ୍ଚଳର ନାଗରିକଙ୍କୁ ନିବେଦନ କରିଛନ୍ତି।
ଏହା ମଧ୍ୟ ପଢନ୍ତୁ-ଚାଲିଛି ୟୁକ୍ରେନ୍-ଋଷ ଘମାଘୋଟ ଲଢେଇ, ଅଚାନକ କିଭ୍ରେ ପହଞ୍ଚିଲେ ବାଇଡେନ
ଫେବୃଆରୀ 6 ତାରିଖରେ 7.8 ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଛାରଖାର ହୋଇପଡିଛି ତୁର୍କୀ ଓ ମଧ୍ୟପ୍ରାଚ୍ୟ ଦେଶ ସିରିୟା । ତୁର୍କୀ ସର୍ବାଧିକ ପ୍ରଭାବିତ ହୋଇଥିବା ସୂଚନା ରହିଛି । ତୁର୍କୀର ମୋଟ 10ଟି ପ୍ରଦେଶ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଭୟ ଦେଶରେ ପ୍ରାୟ 41 ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ପ୍ରଥମ ଭୂକମ୍ପ ପରେ ଲାଗାତାର ଏକାଧିକ ଭୂକମ୍ପର ଝଟକାରେ ଥରି ଉଠିଥିଲା ତୁର୍କୀ ଓ ସିରିୟା । ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ବାରମ୍ବାର ଭୂକମ୍ପ ଅନୁଭୂତ ହେବା ସ୍ଥିତିକୁ ସଙ୍ଗୀନ କରିଥିଲା । ବିଶ୍ବର ଅନେକ ଦେଶ ତୁର୍କୀକୁ ସହାୟତାର ହାତ ବଢାଇଥିଲେ ।