ମନିଲା: ଫିଲିପାଇନ୍ସ ହୋଇଥିବା ଭୂସ୍ଖଳନ ଓ ବନ୍ୟା ଯୋଗୁଁ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଫିଲିପାଇନ୍ସ ଦ୍ବୀପପୁଞ୍ଜକୁ ଛାରଖାର କରିଥିବା ବାତ୍ୟା ମେଗି ଯୋଗୁଁ ମୃତ୍ୟୁସଂଖ୍ୟା ୧୩୮କୁ ବୃଦ୍ଧି ପାଇଛି (Tropical storm Megi claims 138 lives in Philippines) । ଏନେଇ ସରକାରୀ ସ୍ତରରେ ଏହି ସୂଚନା ପ୍ରଦାନ କରାଯାଇଛି ।
ସୂଚନାନୁସାରେ, ଗତ ଶନିବାର ଏବଂ ରବିବାର ଦିନ ଫିଲିପାଇନ୍ସର କେନ୍ଦ୍ରୀୟ ଓ ଦକ୍ଷିଣ ଭାଗରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ କେନ୍ଦ୍ରୀୟ ଲେଟ ଦ୍ବୀପ ଅଧିକ ପ୍ରଭାବିତ ହୋଇ ୧୩୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଯାବତ ୧୦୧ ଜଣଙ୍କ ମୃତଦେହ ଭୂସ୍କଳନରେ ପ୍ରଭାବିତ ହୋଇଥିବା ଗ୍ରାମରୁ ଉଦ୍ଧାର କରାଯାଇଥିବା ସରକାରୀ ସ୍ତରରୁ ସୂଚନା ଦିଆଯାଇଛି । ଆବୁୟୋଗ ନଗରୀର ଲେଟେ ଅଞ୍ଚଳରୁ ୩୧ଟି, ସମର ଅଞ୍ଚଳରୁ ୧ଏବଂ ସିବୁ ଅଞ୍ଚଳରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଫିଲିପାଇନ୍ସର ସେନା ପକ୍ଷରୁ କୁହାଯାଇଛି ଯେ, ବୁଧବାର ସୁଦ୍ଧା କେନ୍ଦ୍ରୀୟ ଫିଲିପାଇନ୍ସର କେପିଜ, ଅକ୍ଲାନ, ଆଣ୍ଟିକ ଏବଂ ଇଲୋଇଲୋର ୧୫୯ ଟି ଅଞ୍ଚଳରେ ବାତ୍ୟା ମେଗି କାୟା ବିସ୍ତାର କରି ଛାରଖାର କରିଛି । ବର୍ତ୍ତମାନ ସୁଦ୍ଧା ୧୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ମୃତହେହ ପୋତି ହୋଇ ରହିଥିବା କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି । କ୍ରମାଗତ ବର୍ଷା ସହ ବନ୍ୟା ଯୋଗୁଁ ଏହି ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି । ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବାନେଇ ଆଶଙ୍କା କରାଯାଉଛି ।