କାବୁଲ: ତାଲିବାନ ସର୍ବଦା ମହିଳା ବିରୋଧୀ ହୋଇଆସିଛନ୍ତି । ମହିଳାଙ୍କ ପ୍ରତି ତାଲିବାନଙ୍କ ଶାସନ ଆଜି କାହାକୁ ବା ଅଛପା । ଏହାରି ମଧ୍ୟରେ ମହିଳାଙ୍କୁ ନେଇ ପୁଣି ଏକ ମନ୍ତବ୍ୟ ରଖିଛନ୍ତି ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନର ମୁଖପାତ୍ର ମଲଭି ମହମ୍ମଦ ସଦିକ ଅକିଫ । ସେ କହିଛନ୍ତି ଯେ ସର୍ବସାଧାରଣରେ ମହିଳାଙ୍କ ଚେହେରା ପୁରୁଷ ଦେଖିଲେ ଏହାଦ୍ବାରା ମହିଳାଙ୍କ ମହତ୍ତ୍ବ ବା ଗାରିମା ନଷ୍ଟ ହୁଏ । ଏଣୁ ମହିଳା ଘରୁ ବାହାରିବା ପରେ ସର୍ବଦା ନିଜର ମୁହଁ ଢାଙ୍କିବା ଆବଶ୍ୟକ । ଆଫଗାନିସ୍ତାନରେ ମହିଳାମାନେ ସଠିକ ଢଙ୍ଗରେ ହିଜାବ ପିନ୍ଧିବା ପ୍ରସଙ୍ଗରେ ଏପରି ମନ୍ତବ୍ୟ ଦେଇଛନ୍ତି ଆଫଗାନିସ୍ତାନର ମୁଖପାତ୍ର ।
ସର୍ବସାଧାରଣରେ ମହିଳା ହିଜାବ ପିନ୍ଧିବାକୁ ନେଇ ଆଫଗାନିସ୍ତାନର ଧାର୍ମିକ ସଂଗଠନ ମଧ୍ୟ ସମର୍ଥନ କରିଥିବା ସେ କହିଛନ୍ତି । ଗତ ୨୦୨୧ ମସିହାରେ ଆଫଗାନିସ୍ତାନକୁ କବ୍ଜା କରିଥିବା ତାଲିବାନମାନେ କ୍ରମାଗତ ଭାବେ ମହିଳା ବିରୋଧୀ ଆଇନ ଆଣୁଥିବା ଦେଖିବାକୁ ମିଳିଛି । ତେବେ ଦେଶରେ ମହିଳାମାନେ ସଠିକ ଢଙ୍ଗରେ ହିଜାବ ପିନ୍ଧିବାରେ ବିଫଳ ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ଆଫଗାନିସ୍ତାନ ମୁଖପାତ୍ର ଅକିଫ । ଯଦି ମହିଳାମାନେ ଘର ବାହାରେ ସଠିକ ଢଙ୍ଗରେ ହିଜାବ ପିନ୍ଧୁନାହାନ୍ତି, ତେବେ ସେମାନଙ୍କୁ ସର୍ବସାଧାରଣ ସ୍ଥାନ ଯେପରିକି ପାର୍କ, ଅଫିସ ବା ୟୁନିଭର୍ସିଟିକୁ ଯିବା ମନା ବୋଲି ସେ କହିଛନ୍ତି ।
ଏହା ବି ପଢନ୍ତୁ- Beauty Salon Ban: ତେଜିଲା ବିରୋଧ, ନିୟମର ଉଲ୍ଲଘଂନ ହୋଇଛି କହିଲା ମନ୍ତ୍ରଣାଳୟ
ସେ ଆହୁରି କହିଛନ୍ତି, "ବଡ଼ବଡ଼ ସହରରେ ମହିଳାମାନେ ବିନା ହିଜାବରେ ଘର ବାହାରକୁ ବାହାରିଥାନ୍ତି । ଯାହାକି ବହୁତ ଖରାପ । ସର୍ବସାଧାରଣ ସ୍ଥାନରେ ମହିଳାମାନେ ନିଜ ମୁହଁକୁ ସର୍ବଦା ଢାଙ୍କିବା ଆବଶ୍ୟକ ବୋଲି ଧାର୍ମିକ ସଂଗଠନ ମଧ୍ୟ କହୁଛି । ଜଣେ ମହିଳାର ନିଜସ୍ବ ଗାରିମା ବା ମହତ୍ତ୍ବ ରହିଛି । ହିଜାବ ପିନ୍ଧିବା ଦ୍ବାରା ସେମାନଙ୍କ ମୁହଁର କୌଣସି କ୍ଷତି ହେଉନାହିଁ । ମହିଳାଙ୍କ ନିଜସ୍ବ ଗାରିମା ରହିଥାଏ । ଆଉ ଯେତେବେଳେ ଜଣେ ପୁରୁଷ ତାର ମୁହଁକୁ ଦେଖିଦିଏ ସେତେବେଳେ ସେ ତାର ଗାରିମା ହରାଇଥାଏ । ଆଲ୍ଲା ହିଜାବ ପିନ୍ଧୁଥିବା ମହିଳାଙ୍କୁ ସମ୍ମାନ ଦେଇଥାନ୍ତି ।"
ଏ ନେଇ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଇସ୍ଲାମିକ ଧର୍ମ ସମ୍ପର୍କରେ ପାଠ ପଢ଼ାଉଥିବା ଅଧ୍ୟାପକ ଶାୟଖ ଜାୟେଦ କହିଛନ୍ତି, "ମହିଳାମାନେ ହିଜାବରେ ମୁହଁ ଢାଙ୍କିବା ନେଇ ସେମିତି କୌଣସି ନିୟମ ନାହିଁ କି ଏହା ବାଧ୍ୟତାମୂଳକ ନୁହେଁ । ହିଜାବ ରୁଲ୍ସକୁ ନେଇ ଚରିତାର୍ଥ କରିବା ଲାଗି ଇସଲାମିକ ଧାର୍ମିକ ଗ୍ରନ୍ଥରେ ଏପରି ନିୟମକୁ ଖୋଜୁଛନ୍ତି ତାଲିବାନ । ସେମାନେ ଇସଲାମ ଧର୍ମଗୁରୁ ମଧ୍ୟ ନୁହେଁ । ତାଲିବାନର ଅର୍ଥ ହେଉଛି ଛାତ୍ର । ଧାର୍ମିକ ଗ୍ରନ୍ଥରେ ଯାହା ରହିଛି ତାକୁ ତାଲିବାନମାନେ ଅନୁସରଣ କରିବା ଉଚିତ । ମାତ୍ର ସେମାନେ ମୁସଲିମ ସମ୍ପ୍ରଦାୟଠୁ ଅଲଗା ହୋଇ ନିଜ ମନ ମୁତାବକ ନିୟମ ବାହାର କରୁଛନ୍ତି ।"
ପୂର୍ବରୁ ମଧ୍ୟ ଏଭଳି ମହିଳା ବିରୋଧୀ ଆଇନ ଆଣି ବିଶ୍ବରେ ଚର୍ଚ୍ଚାର ବିଷୟ ସାଜିଥିଲା ତାଲିବାନ ଶାସନ । ସେପଟେ ଗତ ବୁଧବାର ଜାତିସଂଘର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଗର୍ଡନ ବ୍ରାଉନ୍ କହିଛନ୍ତି ଯେ ତାଲିବାନମାନେ ମହିଳା ଓ ଯୁବତୀଙ୍କୁ ମୌଳିକ ଅଧିକାର ଯେପରିକି ଶିକ୍ଷା ଓ ନିଯୁକ୍ତିରୁ ବଞ୍ଚିତ କରୁଛନ୍ତି । ଏଣୁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ତାଲିବାନ ନେତାମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେବା ଉଚିତ୍ । ସେପଟେ ଆଫଗାନିସ୍ତାନ ମୁଖପାତ୍ର ଅକିଫ୍ କହିଛନ୍ତି ଯେ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ସବୁ ନିର୍ଦ୍ଦେଶ ଆସୁଛି ତାକୁ ନାଗରିକମାନେ ସମର୍ଥନ କରୁଛନ୍ତି । ଏନେଇ କୌଣସି ବିରୋଧାଭାଷ ଦେଖିବାକୁ ମିଳିନାହିଁ ।