ମେକ୍ସିକୋ ସିଟି: ମେକ୍ସିକୋରେ ପୁଣି ରକ୍ତର ହୋଲି ଖେଳିଲେ ଆତତାୟୀ । କାର୍ ରେସିଂ ଚାଲିଥିବା ବେଳେ ହଠାତ୍ ପହଞ୍ଚି ଆଖିବୁଜା ଗୁଳିବର୍ଷଣ କଲେ । ଏହି ଗୁଳିମାଡରେ ଅତିକମରେ ୧୦ ଜଣ ରେସରଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ଉତ୍ତର ମେକ୍ସିକୋର ବାଜା କାର୍ଲିଫର୍ଣ୍ଣିଆରେ ଏଭଳି ବର୍ବରୋଚିତ କାଣ୍ଡ ଘଟିଛି । ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡରେ ୧୦ କାର୍ ରେସର୍ ଆଖି ବୁଜିଛନ୍ତି । ସ୍ଥାନୀୟ ଷ୍ଟେଟ ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଛି ।
ସମ୍ବାଦ ସରବରାହ ସଂସ୍ଥା ରୟଟର୍ସର ରିପୋର୍ଟ ଅନୁସାରେ, ଗତକାଲି ମେକ୍ସିକୋର ବାଜା କାର୍ଲିଫର୍ଣ୍ଣିଆ ଅନ୍ତର୍ଗତ ସାନ୍ ଭିସେଣ୍ଟେ ଅଞ୍ଚଳରେ ଏକ କାର୍ ରେସିଂ ଶୋ' ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ସ୍ଥାନରୁ ଅନେକ ରେସର୍ ଆସି ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀମାନେ ରେସ୍ ଆରମ୍ଭ କରିବା ପୂର୍ବରୁ ଅପରାହ୍ନ ପ୍ରାୟ ୨ଟା ୧୮ ମିନିଟ୍ ସମୟରେ କିଛି ଅଜଣା ବନ୍ଧୁକଧାରୀ ଏକ ଭ୍ୟାନରେ ସେଠାରେ ପହଞ୍ଚିଥିଲେ । ସେମାନେ ହଠାତ୍ ଗାଡିରୁ ବାହାରି ପ୍ରତିଯୋଗୀମାନଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ରେସିଂ ଶୋ' ପାଖ ଏକ ଗ୍ୟାସ୍ ଷ୍ଟେସନ ପାଖରେ ଏହି ଗୁଳିକାଣ୍ଡ ଘଟିଥିଲା ।
ଏହାମଧ୍ୟ ପଢନ୍ତୁ: Shooting in US: ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ଯୁବତୀ, ପ୍ରାଣ ହରାଇଥିଲେ 9 ଜଣ
ଆତତାୟୀଙ୍କ ଗୁଳିମାଡରେ ଅତିକମରେ ୧୦ ଜଣେ ରେସ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଓ ମେକ୍ସିକାନ ରେଡକ୍ରସ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଗୁଳିକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ ଆରମ୍ଭ କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ସମସ୍ତ ମୃତାହତଙ୍କ ପରିଚୟ ମିଳିନଥିବା ସୂଚନା ମିଳିଛି ।
ଆମେରିକା ଓ ମେକ୍ସିକୋରେ ଗୁଳିକାଣ୍ଡ ଘଟଣା ନିତିଦିନିଆ ହୋଇଗଲାଣି । କିଛି ଦିନ ପୂର୍ବରୁ ଉତ୍ତର ମେକ୍ସିକୋର ଏକ ଜେଲ୍ରେ ଭିତରେ ଗୁଳିମାଡ ହୋଇଥିଲେ । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଚଳିତ ମାସ ୭ ତାରିଖରେ ଆମେରିକାର ଟେକ୍ସାସରେ ଥିବା ଏକ ସପିଂ ମଲରେ ଗୁଳିକାଣ୍ଡ ହୋଇଥିଲା । ଏହି ଘଟଣା ହାଇଦ୍ରାବାଦର ଜଣେ ଯୁବତୀଙ୍କ ସମେତ ୯ ଜଣ ପ୍ରାଣ ହରାଇଥିଲେ ।