ୱାଶିଂଟନ: ଆମେରିକାର କାଲିଫର୍ନିଆରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିଚାଳନା । ଏଥିରେ ଗୋଟିଏ ପରିବାରର 6 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଏକ 6 ମାସର ଶିଶୁ ଥିବା ଜଣାପଡ଼ିଛି । ସେଣ୍ଟ୍ରାଲ କାଲିଫର୍ଣ୍ଣିଆର ପୂର୍ବ ବିସାଲିୟା ସ୍ଥିତ ଏକ ଘରେ ସଶସ୍ତ୍ର ଆକ୍ରମଣକାରୀମାନେ ଗୁଳିକାଣ୍ଡ ଘଟାଇଛନ୍ତି । ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ କରୁଛି ।
ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ସକାଳେ ଏହି ଅଘଟଣ ଘଟିଛି । ଭୋର 3.30 ସମୟରେ ଦୁର୍ବୃତ୍ତ ଘରେ ପସି ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ଜଣେ 17 ବର୍ଷୀୟ କିଶୋର, 6 ମାସର ଶିଶୁ ଏବଂ ତାଙ୍କ ମାଆ ରହିଛନ୍ତି । ସେହିପରି ଘର ବାହାରେ ଦୁଇ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ମିଳିଥିଲେ । ଜଣେ ପଡ଼ୋଶୀ ଗୁଳି ଶବ୍ଦ ଶୁଣି ଫୋନ ଯୋଗେ ପୋଲିସକୁ ସୂଚନା ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: Pokhara Air Crash: ବିମାନ ଯାତ୍ରା ପାଇଁ ନେପାଳ ସାଜୁଛି କାଳ ! ଜାଣନ୍ତୁ ATR କ୍ରାସ୍ ପଛର ସତ
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏଥିସହ ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏଥିରେ ଅତିକମରେ ଦୁଇ ଜଣ ଅଭିଯୁକ୍ତ ସାମିଲ ଥିବା ପୋଲିସ ଅନୁମାନ କରୁଛି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁ୍ଛି । ଏହି ହତ୍ୟାକାଣ୍ଡ ଡ୍ରଗ୍ସ୍ ସହ ଜଡ଼ିତ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ଏହା ମଧ୍ୟ ପଢ଼ନ୍ତୁ: Pokhara Plane Crash: ଅଧା ରହିଗଲା ମୁଖ୍ୟ ପାଇଲଟ ହେବା ସ୍ବପ୍ନ, ସଫଳ ଅବତରଣରେ ଅଞ୍ଜୁଙ୍କୁ ମିଳିଥାନ୍ତା ପାଇଲଟ ଲାଇସେନ୍ସ
ଯୁକ୍ରରାଷ୍ଟ୍ର ଆମେରିକାରେ 2021 ମସିହାରେ ଗୁଳିକାଣ୍ଡରେ ପ୍ରାୟ 49 ହଜାର ଲୋକ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଥିବା କୁହାଯାଉଛି । ନିକଟରେ ଆମେରିକାର ଉଟାହରେ ମଧ୍ୟ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ଗୋଟିଏ ପରିବାରର 8 ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ 5 ଜଣ ଶିଶୁ ଥିଲେ । ପାରିବାରିକ କଳହ ଯୋଗୁଁ ଜଣେ ବ୍ୟକ୍ତି ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଜୀବନ ହାରିଥିଲେ ।