ରିଚ୍ମଣ୍ଡ: ଭର୍ଜିନିଆ ବିଶ୍ବ ବିଦ୍ୟାଳୟରେ ଆଖିବୁଜା ଗୁଳି ଚାଳନା କଲେ ସେହି ଅନୁଷ୍ଠାନର ଜଣେ ଛାତ୍ର । ଫଳରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହାକୁ ନେଇ ଭର୍ଜିନିଆ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଜଣେ ଛାତ୍ର ଏହି ଗୁଳିକାଣ୍ଡ ଘଟାଇଥିବା ସନ୍ଦେହ କରୁଛି ପୋଲିସ । ଏହି ଛାତ୍ର ଜଣକ ଖ୍ରୀଷ୍ଟୋଫର ଡାର୍ନେଲ୍ ଜୋନାସ ବୋଲି ଜଣାପଡ଼ିଛି । ତା ସହିତ କେତେକ ସଂଗଠନ ଉପରେ ସନ୍ଦେହ କରୁଛି ପୋଲିସ । ସନ୍ଦେହ କରାଯାଉଥିବା ଛାତ୍ର ଜଣକ ଗୁଳିକାଣ୍ଡ ପରେ ଏକ SUVରେ ବିଶ୍ବ ବିଦ୍ୟାଳୟରୁ ବାହାରି ଯାଉଥିବା ଦେଖିବାକୁ ମିଳିଛି ।
ଏହି ଘଟଣାକୁ ନେଇ ଭର୍ଜିନିଆ ବିଶ୍ବ ବିଦ୍ୟାଳୟର VC ସେଠାକାର ଛାତ୍ର ସଂଗଠନକୁ ଇ-ମେଲ୍ ମାଧ୍ୟମରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସ୍ଥିତି ପୋଲିସ କହୁଥିବା ସୁରକ୍ଷିତ ସ୍ଥାନରେ ରହିବାକୁ ଇ-ମେଲ୍ରେ କୁହାଯାଇଛି । ଗତ କିଛି ବର୍ଷ ମଧ୍ୟରେ ଆମେରିକାର ସ୍କୁଲ୍ କଲେଜରେ ହିଂସାକାଣ୍ଡ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା ବନ୍ଧୁକ ରଖିବା ନିୟମ କୋହଳ ଥିବାରୁ ଏଭଳି କାଣ୍ଡ ଘଟୁଥିବା ବିତର୍କ କରାଯାଉଛି । ପାଖରେ ହଥିଆର ରଖିବାକୁ ଆମେରିକା ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କ ଅଧିକାର ରହିଛି । ତେବେ ସମୟ ସମୟରେ ଏହାର ଫଳ ନିରୀହ ଲୋକଙ୍କୁ ଭୋଗିବାକୁ ପଡ଼ିଛି । ଯାହାର ଏକ ଚିତ୍ର ଭର୍ଜିନିଆ ବିଶ୍ବ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ତେବେ ପ୍ରକୃତରେ ଏହି ଗୁଳିକାଣ୍ଡରେ ଅଭିଯୁକ୍ତ କିଏ ତାହାର ତଦନ୍ତ ଚଳାଇଛି ପୋଲିସ ।