କିଭ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଥମ ଯୁଦ୍ଧ ଅପରାଧ (war crime)ମାମଲାର ଶୁଣାଣି କରିଛି ୟୁକ୍ରେନ । ୟୁକ୍ରେନ ସେନା ଦ୍ବାରା ଗିରଫ ହୋଇଥିବା ଜଣେ ଋଷ ସୈନିକଙ୍କୁ ଯୁଦ୍ଧ ଅପରାଧ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ୟୁକ୍ରେନର ଏକ କୋର୍ଟ । ଗିରଫ ଋଷୀୟ ସୈନିକଙ୍କ ନାମ ଭାଦିମ ଶିଶିମାରିନ (Vadim Shishimarin) ଓ ସେ ଜଣେ ଟ୍ଯାଙ୍କ କମାଣ୍ଡର ଭାବେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ନେଇ ସୂଚନା ରହିଛି ।
ୟୁକ୍ରେନରେ ଅନୁପ୍ରବେଶ ବେଳେ ସେ ଜଣେ 62 ବର୍ଷୀୟ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ଜଣାପଡିଥିଲା । ଯୁଦ୍ଧର ପ୍ରାରମ୍ଭିକ ସମୟ ବା ଫେବୃଆରୀ 28 ତାରିଖରେ ୟୁକ୍ରେନର ଚୁପାକହିଭକାର ଉତ୍ତର ପଶ୍ଚିମରେ ଏହି ଘଟଣା ଘଟିଥିଲା । ତେବେ ସୈନିକ ଜଣଙ୍କ ଗୁଳି ଚଳାଇଥିବା ଓ ସେ ଉଚ୍ଚ କମାଣ୍ଡରଙ୍କ ନିର୍ଦ୍ଦେଶରେ କରିଥିବା ମଧ୍ୟ ସ୍ବୀକାର କରିଥିବା ୟୁକ୍ରେନ ଦାବି କରିଥିବାବେଳେ ଋଷ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛି ।
ଅନ୍ୟପଟେ ଋଷ ସେନା ଯୁଦ୍ଧ ବେଳେ ସାଧାରଣ ୟୁକ୍ରେନୀୟ ନାଗରିକ, ମହିଳାଙ୍କୁ ନିର୍ଯାତନା ତଥା ଦୁଷ୍କର୍ମ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ୟୁକ୍ରେନ ଆଣିଥିଲେ ସୁଦ୍ଧା ଋଷ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ଆସିଛି । ଯୁଦ୍ଧ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଋଷ ସେନା ୟୁକ୍ରେନରେ ପ୍ରାୟ 11 ହଜାର ଯୁଦ୍ଧ ଅପରାଧ କରିଥିବା ଅଭିଯୋଗ କରିଛି ୟୁକ୍ରେନ । ଆଜି ପ୍ରଥମ ମାମଲାରେ ଶୁଣାଣି କରି ଜଣେ ଋଷୀୟ ସୈନ୍ୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ମଧ୍ୟ କରିଛି ୟୁକ୍ରେନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ