ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋରିସ୍ ଜନସନ । ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ସେ ପଦ ଛାଡିଛନ୍ତି । ବର୍ତ୍ତମାନ ବୋରିସଙ୍କ ପରେ କିଏ ନୂଆ ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ଏହି ରେସ୍ରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବିଶିଷ୍ଟ ଶିଳ୍ପପତି ନାରାୟଣ ମୂର୍ତ୍ତୀଙ୍କ ଜ୍ବାଇଁ ଋଷି ସୁନକ । ଋଷି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଜନସନ ସରକାରରେ ତାଙ୍କର ଲୋକପ୍ରିୟତା ଅଧିକ ରହିଛି । ସେ ପୂର୍ବରୁ ଅର୍ଥମନ୍ତ୍ରୀ ଏବଂ ରାଜକୋଷ ଚ୍ୟାନସେଲର ଭଳି ବଡ ପଦ ପଦବୀରେ ରହିସାରିଛନ୍ତି । ଖାଲି ସେତିକି ନୁହେଁ, କୋରୋନା କାଳରେ ଦେଶର ଅର୍ଥବ୍ୟବସ୍ଥାକୁ ଭୁଶୁଡିବାରୁ ସେ ରକ୍ଷା କରିଥିଲେ । ଏକ ରିକଭରି ପ୍ୟାକେଜ୍ ଘୋଷଣା କରି ସେ ସର୍ବତ୍ର ପ୍ରଶଂସନୀୟ ପାଲିଟିଥିଲେ । ଏହି ପ୍ୟାକେଜ ବଳରେ ଦଶର ଅର୍ଥନୀତି ସୁଦୃଢ ହେବା ସହିତ ଯୁବଗୋଷ୍ଠୀଙ୍କ ନିଯୁକ୍ତି କମିବା ପରିବର୍ତ୍ତେ ବଢିଥିଲା ।
କିଏ ଏହି ଋଷି ସୁନାକ୍ ?
୪୨ ବର୍ଷୀୟ ଋଷି ସୁନକ ହେଉଛନ୍ତି ଇନଫୋସିସର ସହ ସଂସ୍ଥାପକ ତଥା ବିଶିଷ୍ଟ ଶିଳ୍ପପତି ନାରାୟମ ମୂର୍ତ୍ତୀଙ୍କ ଜ୍ବାଇଁ(Infosys Co-founder NR Narayana Murthy) । ୨୦୦୯ ସେ ନାରାୟଣ ମୂର୍ତ୍ତୀଙ୍କ ଝିଅ ଅକ୍ଷିତା ମୂର୍ତ୍ତୀଙ୍କୁ ପ୍ରେମ ବିବାହ କରିଛନ୍ତି । ଅକ୍ଷିତା ବ୍ରିଟେନର ଜଣେ ଲୋକପ୍ରିୟ ଡିଜାଇନର । ତାଙ୍କର ଦୁଇଟି ଝିଅ ଅଛନ୍ତି । ଋଷିଙ୍କ ବାପାଙ୍କ ନାମ ୟଶବୀର ସୁନାକ ଓ ମାଆ ଉଷା ସୁନାକ । ଋଷିଙ୍କ ଜନ୍ମ ବ୍ରିଟେନରେ ହୋଇଥିଲା । ତାଙ୍କ ଜେଜେବାପା ପଞ୍ଜାବର ମୂଳବାସିନ୍ଦା ଥିଲେ । ପଞ୍ଜାବରୁ ସେମାନେ ପ୍ରଥମେ ଆଫ୍ରିକା ଓ ପରେ ବ୍ରିଟେନକୁ ଚାଲି ଯାଇଥିଲେ । ସେହିଠାରେ ହିଁ ସେ ଜନ୍ମଗ୍ରହଣ କରିଥିଲେ ।
ଋଷି ସୁନାକ ବ୍ରିଟେନର ବେଞ୍ଚଷ୍ଟାର କଲେଜରେ ରାଜନୀତି ବିଜ୍ଞାନ, ଫିଲୋସୋଫି ପଢିଥିଲେ । ଏହାପରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଅର୍ଥନୀତି ଅଧ୍ୟୟନ କରିଥିଲେ । ୨୦୧୫ ମେ'ରେ ସେ କଞ୍ଜରଭେଟିଭ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଅର୍ଥମନ୍ତ୍ରୀ ଭାବେ ମହାମାରୀ କୋରୋନା କାଳରେ ବ୍ରିଟେନ ଅର୍ଥନୀତିରେ ସୁଧାର ଆଣିବା ଏବଂ ବ୍ୟବସାୟୀ ଓ ଶ୍ରମିକଙ୍କୁ ସାହାଯ୍ୟ ପାଇଁ ବୃହତ୍ ପ୍ୟାକେଜ ଘୋଷଣା କରିବା ପରେ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ । ବର୍ତ୍ତମାନ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଋଷି ସୁନାକ ଏହି ପଦ ପାଇଁ ବଡ ଦାବିଦାର ଥିବା ଚର୍ଚ୍ଚା ଜୋର ଧରିଛି ।