ଇସଲାମବାଦ: ଭାରତର ଚନ୍ଦ୍ରଯାନ-3ର ସଫଳତା ପରେ ଏହାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ଏଭଳି ପରିସ୍ଥିତିରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଚନ୍ଦ୍ରାୟନ-3କୁ ନେଇ ଏକ ବୟାନ ଦେଇଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମୁମତାଜ୍ ଜାହର ବାଲୋଚ ଭାରତର ଚନ୍ଦ୍ରଯାନ-3 ସଫଳତାର ଶ୍ରେୟ ବୈଜ୍ଞାନିକମାନଙ୍କୁ ଦେଇଛନ୍ତି ।
ତେବେ ଗଣମାଧ୍ୟମ ପକ୍ଷରୁ ଭାରତର ଚନ୍ଦ୍ରାୟନ-3ର ସଫଳତାକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମୁମତାଜ୍ ଜାହର ବାଲୋଚ କହିଛନ୍ତି," ମୁଁ କେବଳ ଏତିକି କହିବି, ଏହା ବୈଜ୍ଞାନିକମାନଙ୍କର ସଫଳତା, ଏଥିପାଇଁ ଇସ୍ରୋ ବୈଜ୍ଞାନିକମାନେ ପ୍ରଶଂସା ପାଇବାର ଯୋଗ୍ୟ ଅଟନ୍ତି ।" ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ତାଙ୍କ ଦେଶକୁ ଡକାଯାଇନାହିଁ । ଦେଶର ଆଧୁନିକ ବିକାଶ ପାଇଁ ଅନୁଧ୍ୟାନ କରାଯିବ ଏବଂ ଭବିଷ୍ୟତରେ ବ୍ରିକ୍ସ ସହିତ ଯୋଗଦାନ ବିଷୟରେ ନିର୍ଣ୍ଣୟ କରାଯିବ । ତେବେ ପାକିସ୍ତାନ ବହୁପକ୍ଷର ସମର୍ଥକ ଏବଂ ଏହା ଅନେକ ବହୁପକ୍ଷ ସଂଗଠନର ସଦସ୍ୟ ଭାବରେ ସର୍ବଦା ବିଶ୍ବର ଶାନ୍ତି ଏବଂ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଏହା ମଧ୍ୟ ପଢ଼ନ୍ତୁ....PM Modi Greece Visit: 9ବର୍ଷରେ ଭାରତରେ ନିର୍ମିତ ରାସ୍ତା ପୃଥିବୀଠୁ ଚନ୍ଦ୍ର ଦୂରତା ସହ ସମାନ
ବାଲୋଚ କହିଛନ୍ତି ଯେ, ପାକିସ୍ତାନ ମଧ୍ୟ ଏକ ବିକାଶନ୍ମୁଖୀ ଦେଶ । ଏହାସହ ଦକ୍ଷିଣ ଦେଶମାନଙ୍କ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଅନ୍ତର୍ଜାତୀୟ ସହଯୋଗିତା ବୃଦ୍ଧି କରିବା ଏବଂ ବହୁପେକ୍ଷୀୟତାର ପୂନରୁତ୍ଥାନ ପାଇଁ ଆମେ ଉଦ୍ୟମ ଜାରି ରଖିବୁ ବୋଲି କହିଛନ୍ତି ।
ତେବେ ବ୍ରିକ୍ସ ଗୁରୁବାର 6 ଜଣ ନୂତନ ସଦସ୍ୟ ଆର୍ଜେଣ୍ଟିନା, ଇଥିଓପିଆ, ଇଜିପ୍ଟି, ଇରାଲ, ସାଉଦି ଆରବ ଏବଂ ୟୁଏଇକୁ ଗ୍ରୁପରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏହି ସଦସ୍ୟତା 2024 ଜାନୁଆରୀ 1ରୁ କାର୍ଯ୍ୟକାରୀ ହେବ । ବ୍ରାଜିଲ, ଋଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକାର ଲିଡର ମାନେ ବ୍ରିକ୍ସ ଗ୍ରୁପର ସମ୍ପ୍ରସାରଣକୁ ସମର୍ଥନ କରିଛନ୍ତି । ତେବେ 2010ରେ ଦକ୍ଷିଣ ଆଫ୍ରିକା ଏହି ଗ୍ରୁପରେ ମିଶିବା ସହ ଏହା ପ୍ରଥମ ସମ୍ପ୍ରସାରଣ ଥିଲା ।
15ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ " ବ୍ରିକ୍ସର ସମ୍ପ୍ରସାରଣକୁ ଭାରତ ସବୁବେଳେ ସମର୍ଥନ କରିଆସୁଛି । ଏହାସହ ଏହା ମଧ୍ୟ ବିଶ୍ବାସ ଅଛି ଯେ, ଗ୍ରୁପରେ ନୂତନ ସଦସ୍ୟ ଯୋଡି଼ ହେବା ଫଳରେ ସଂଗଠନ ଆହୁରି ମଜଭୁତ ହେବ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ