ହାଇଦ୍ରାବାଦ: ପାକିସ୍ତାନର ସାଧାରଣ ନିର୍ବାଚନରେ ସମସ୍ତ ଆସନରେ ଲଢିବାକୁ ଯାଉଛି ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ ସଇଦର ରାଜନୈତିକ ଦଳ । ହାଫିଜ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ଲଶ୍କର-ଏ-ତୋଇବା ଏକ କୁଖ୍ୟାତ ଆତଙ୍କୀ ସଂଗଠନ । ପାକିସ୍ତାନର ରାଜନୈତିକ ଦଳ ମରକାଜି ମୁସଲିମ ଲିଗ (PMML) ହାଫିଜ ସଇଦର ପୃଷ୍ଠପୋଷକତାରେ ସଞ୍ଚାଳିତ ହେଉଛି । ଏହି ପାର୍ଟି ଚଳିତ ସାଧାରଣ ନିର୍ବାଚନରେ ଦେଶର ସଂସଦୀୟ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି ।
ଆସନ୍ତାବର୍ଷ (2024) ଫେବୃଆରୀ 8 ତାରିଖରେ ପାକିସ୍ତାନରେ ହେବାକୁଥିବା ସାଧାରଣ ନିର୍ବାଚନରେ ସଇଦର ପୁଅ ତାଲ୍ହା ସଇଦ ମଧ୍ୟ ଲାହୋରର NA-127 ସଂସଦୀୟ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି । ସେହିପରି ଦଳର ରାଷ୍ଟ୍ରୀୟ ସଭାପତି ଥିବା ମସୁଦ ସିନ୍ଧୁ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛି । ଲାହୋରର NA-130 ସଂସଦୀୟ ଆସନରୁ ପାକିସ୍ତାନ ମୁସଲିମ ଲିଗ- ନଓ୍ବାଜ ବିରୋଧରେ ସେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ସୂତ୍ରରୁ ସୂଚନା ମିଳିଛି । ପାକିସ୍ତାନ ମୁସଲିମ ଲିଗ- ନଓ୍ବାଜ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଦ୍ବାରା ପ୍ରତିଷ୍ଠିତ ଦଳ । ଏହି ଦଳ ଏବେ ପାକିସ୍ତାନରେ ଶାନସରେ ରହିଛି । ନଓ୍ବାଜ ସରିଫଙ୍କ ଭାଇ ଶେହେଓ୍ବାଜ ସରିଫ ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଛନ୍ତି ।
ତେବେ କ୍ଷମତାରୁ ହଟିବା ପରେ ଦୀର୍ଘ ବର୍ଷ ଧରି ଘୋଟାଲା ଅଭିଯୋଗରେ ନ୍ୟାୟିକ ପ୍ରକ୍ରିୟାରେ ଛନ୍ଦି ହୋଇଥିବା ଓ ଚିକିତ୍ସା ଆଳରେ ଲଣ୍ଡନ ପଳାୟନ କରିଥିବା ନଓ୍ବାଜ ମଧ୍ୟ ଏବେ ପାକିସ୍ତାନ ଫେରିସାରିଛନ୍ତି । ଚଳିତ ନିର୍ବାଚନରେ ତାଙ୍କର ସକ୍ରିୟ ଅଂଶଗ୍ରହଣ ମଧ୍ୟ ଦେଖିବାକୁ ମିଳିପାରେ । ତେବେ ଶାସନରେ ଥିବା ତାଙ୍କ ଦଳ ସହ ହାଫିଜ ସଇଦର ସମର୍ଥିତ ଦଳ ଓ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ମଧ୍ଯରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିପାରେ । ଇମ୍ରାନ ଏବେ ଜେଲରେ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ମୁଁ ଇଣ୍ଡିଆ ମେଣ୍ଟ ଉପରେ କ୍ରୋଧିତ ନୁହେଁ: ନୀତିଶ
2011 ମୁମ୍ବାଇ ଆକ୍ରମଣ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ହେଉଛି ଆତଙ୍କବାଦୀ ହାଫିଜ ସଇଦ । ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କୀ ତାଲିକାରେ ଥିବା ସଇଦ ପାକିସ୍ତାନର ଏକାଧିକ ସଭାସମିତିରେ ଭାରତ ବିରୋଧୀ ମନ୍ତବ୍ୟ ଓ ଆକ୍ରମଣ କରିବା ନେଇ ଧମକ ମଧ୍ଯ ଦେବାରେ ଲାଗିଛି । ଏବେ ସେ ପାକିସ୍ତାନ ରାଜନୀତିରେ ମଧ୍ୟ ବଳ କଷିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ