ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୋଲାଣ୍ଡରେ ମିସାଇଲ ମାଡ (Missile hit in Poland) ହୋଇ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇବା ଘଟଣା ଏବେ ଚର୍ଚ୍ଚା ଓ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ରହିଥିବା ବେଳେ ଏହାକୁ ନେଇ ଏବେ ଭିନ୍ନ ସୂଚନା ସାମ୍ନାକୁ ଆସିଛି । ପୋଲାଣ୍ଡରେ ଖସିଥିବା ମିସାଇଲଟି ଋଷ ମିସାଇଲକୁ କାଉଣ୍ଟର କରିବା ପାଇଁ ୟୁକ୍ରେନ ସେନା ଦ୍ବାରା ଲଞ୍ଚ କରାଯାଇଥିବା ପ୍ରାଥମିକ ସୂଚନା ମିଳିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।
ଅନ୍ୟ କିଛି ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ବାଲିରେ ଚାଲିଥିବା ଜି-20 ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘଟଣା ନେଇ ସୂଚନା ଦେଇଥିଲେ । ପୋଲାଣ୍ଡରେ ହିଟ ହୋଇଥିବା ଏହି ମିସାଇଲଟି ଏକ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ଓ ଏହାକୁ ୟୁକ୍ରେନ ସେନା ଦ୍ବାରା ଲଞ୍ଚ କରାଯାଇଥିବା ବାଇଡେନ ସମ୍ମିଳନୀରେ କହିଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ତେବେ ଘଟଣା ନେଇ ଆମେରିକା ଔପଚାରିକ ଭାବେ କିଛି କହିନାହିଁ । ପ୍ରଥମେ ଏହାକୁ ଋଷ ପକ୍ଷରୁ ନିକ୍ଷେପ କରାଯାଇଥିବା ସନ୍ଦେହ କରାଯାଉଥିଲା । ଯାହାକୁ ନେଇ ପୋଲାଣ୍ଡ ଉଦବେଗ ମଧ୍ୟ ପ୍ରକାଶ କରିଥିଲା ।
ମଙ୍ଗଳବାର ପୋଲାଣ୍ଡର ପୂର୍ବ ଭାଗ ତଥା ୟୁକ୍ରେନ ସୀମାବର୍ତ୍ତୀ ଅଞ୍ଚଳରେ ଏହି ମିସାଇଲଟି ମାଡ ହୋଇଥିଲା । ଫଳରେ 2ସାଧାରଣ ପୋଲାଣ୍ଡ ନାଗରିକ ପ୍ରାଣ ହରାଇଥିଲେ । ପ୍ରାଥମିକ ଭାବେ ଋଷ ସେନାକୁ ଏଥିପାଇଁ ଦାୟୀ କରାଯାଇଥିବା ବେଳେ ମସ୍କୋ ପକ୍ଷରୁ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ରଖାଯିବା ସହ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା । ସମ୍ପୃକ୍ତ ଅଞ୍ଚଳରେ ଋଷ ସେନା କୌଣସି ଆକ୍ରମଣ କିମ୍ବା କ୍ଷେପଣାସ୍ତ୍ର ଲଞ୍ଚ କରିନଥିବା ମସ୍କୋ ସ୍ପଷ୍ଟ କରିଥିଲା ।
ଏହା ମଧ୍ୟ ପଢନ୍ତୁ:-ପୋଲାଣ୍ଡରେ ଋଷର ମିସାଇଲ ମାଡ, 2 ସାଧାରଣ ନାଗରିକ ମୃତ
ଘଟଣା ପରେ ପୋଲାଣ୍ଡରେ ହାଇଆଲର୍ଟ ଜାରି ହୋଇଥିଲା । ପୋଲାଣ୍ଡ ରାଷ୍ଟ୍ରପତି ଆମେରିକା, ଇଂଲଣ୍ଡ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବା ସହ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ବାଲିରେ ଜି-20 ସମ୍ମିଳନୀରେ ଉପସ୍ଥିତ ଥାଇ ମଧ୍ୟ ଘଟଣା ସମ୍ପର୍କରେ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ