ହାଇଦ୍ରାବାଦ: ବ୍ରିଟେନରେ ବିଧିବଦ୍ଧ ଭାବେ ଆରମ୍ଭ ହେଲା ରାଜା ଚାର୍ଲ୍ସ-ତୃତୀୟଙ୍କ ରାଜତ୍ବ । ମା’ ତଥା ଦିବଙ୍ଗତ ମହାରାଣୀ ଏଲିଜାବେଥ-ଦ୍ବିତୀୟଙ୍କ ଦେହାନ୍ତ ପରେ ଆସନ ଆରୋହଣ କରିଥିବା ତାଙ୍କର ପୁତ୍ର ଚାର୍ଲ୍ସ-ତୃତୀୟ ଆଜି (ଶନିବାର) ବିଧିବଦ୍ଧ ଭାବେ ଭାବ୍ୟ ରାଜକୀୟ ପରମ୍ପରାରେ ବ୍ରିଟେନର ରାଜ ସିଂହାସନ ଗ୍ରହଣ କରିଛନ୍ତି । ରାଜ୍ୟାଭିଷେକ ଉତ୍ସବରେ ବିଶ୍ବର ପ୍ରମୁଖ ବ୍ୟକ୍ତିବିଶେଷ ଅତିଥି ଭାବେ ସାମିଲ ହୋଇଛନ୍ତି । ବ୍ରିଟିଶ ରାଜ ପରିବାର ପରମ୍ପରା ଅନୁସାରେ ଭାରତୀୟ ସମୟ ଅପରାହ୍ନ ପ୍ରାୟ ସାଢେ 3ଟାରେ ଏହି ରାଜ୍ୟାଭିଷେକ ନୀତି ସମ୍ପନ୍ନ ହୋଇଛି ।
ଏହି ଭବ୍ୟ ସାମାରୋହ ଓ୍ବେଷ୍ଟମିନିଷ୍ଟର ଆବେରେ ସମ୍ପୂର୍ଣ୍ଣ ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ ଶେଷ ହୋଇଛି । ଏଥିରେ ରାଜପରିବାର ସମସ୍ତ ସଦସ୍ୟଙ୍କ ସହ ପ୍ରାୟ 100 ଟି ଦେଶର ଶାସନ ମୁଖ୍ୟ ଓ ପ୍ରତିନିଧି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖର ସପତ୍ନୀକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ଏକ ଭବ୍ୟ ସମାରୋହରେ ରାଜା ଚାର୍ଲ-ତୃତୀୟ ଓ ପତ୍ନୀ ତଥା ମହାରାଣୀ କୌମିଲା ବଙ୍ଗିମହମ ପ୍ୟାଲେସରୁ ଓ୍ବଷ୍ଟମିନିଷ୍ଟର ଆବେରେ ପହଞ୍ଚିଥିଲେ । ଏକ ସ୍ବତନ୍ତ୍ର ସ୍ବର୍ଣ୍ଣ ପାଲିଙ୍କି ସଦୃଶ୍ୟ ଘୋଡା ଗାଡିରେ ଉଭୟ ରାଜା ଓ ରାଣୀଙ୍କୁ ରାଜ୍ୟାଭିଷେକ ସ୍ଥଳକୁ ଅଣାଯାଇଥିଲା । ସମ୍ପୂର୍ଣ୍ଣ ସାମରିକ ରାଜକୀୟ ଶୈଳୀରେ ପରେଡ ମାର୍ଚ୍ଚ କରାଯାଇଥିଲା । ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ମନ୍ତ୍ର ଧ୍ବନୀ ଉଚ୍ଚାରଣ କରାଯାଇ ରାଜ୍ୟାଭିଶେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ପରମ୍ପରା ଅନୁସାରେ ରାଜ୍ୟାଭିଶେକ ପାଇଁ ବ୍ୟବହାର ହୋଇଆସୁଥିବା 14 ଶତାବ୍ଦୀର 360 ବର୍ଷ ପୁରୁଣା ସିଂହାସନରେ ରାଜା ଚାର୍ଲ୍ସଙ୍କୁ ବସାଯାଇଥିଲା । ଉଭୟ ରାଜା-ରାଣୀ ସ୍ବତନ୍ତ୍ର ପୋଷାକ ଓ ଆଭୁଷଣ ପରିଧାନ କରିଥିଲେ । ସ୍ବତନ୍ତ୍ର ବାଇବେଲର ମନ୍ତ୍ରଧ୍ବନୀ ସହ ଚାର୍ଲ୍ସଙ୍କ ମସ୍ତକରେ ଏଡଓ୍ବାର୍ଡ କ୍ରାଉନ ପିନ୍ଧାଯାଇଥିଲା । ଏହା ସହ ‘‘ଇଶ୍ବର ସମ୍ରାଟଙ୍କର ରକ୍ଷା କରନ୍ତୁ’’ ବୋଲି ଧର୍ମଗୁରୁମାନେ ମନ୍ତ୍ର ଉଚ୍ଚାରଣ କରିଥିଲେ । ପରେ ରାଜ୍ୟାଭିଷେକ ତୋପ ସଲାମି ପ୍ରଦାନ କରାଯାଇଥିଲା । ବ୍ରିଟିଶ ରାଜ ସିଂସାହନରେ ବସିଥିବା ସର୍ବାଧିକ ବୟସ୍କ ରାଜା ହେଉଛନ୍ତି ଚାର୍ଲ୍ସ-ତୃତୀୟ ।
1937 ପରେ ବ୍ରିଟିଶ ରାଜବଂଶରେ ଏହା କୌଣସି ରାଜାଙ୍କର ପ୍ରଥମ ରାଜ୍ୟାଭିଷେକ । ପୂର୍ବରୁ 1953 ରେ ମହାରାଣୀ ଏଲିଜାବେଥ-ଦ୍ବିତୀୟ ବ୍ରିଟେନର ମହାରାଣୀ ଭାବେ ସର୍ବୋଚ୍ଚ ସିଂହାସନ ଆରୋହଣ କରିଥିଲେ । ଓ୍ବେଷ୍ଟ ମିନିଷ୍ଟର ଆବେରେ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ବେଳେ ଏଥିରେ ବିଶ୍ବବ୍ୟାପୀ ପ୍ରାୟ 8 ହଜାର ବିଶିଷ୍ଟ ବ୍ୟକ୍ତିବିଶେଷ ନିମନ୍ତ୍ରିତ ହୋଇଥିଲେ ।
ଗ୍ରେଟ-ବ୍ରିଟେନ ବିଶ୍ବର ଏକ ପୁରାତନ ଗଣତାନ୍ତ୍ରିକ ଦେଶ ହୋଇଥିଲେ ସୁଦ୍ଧା ରାଜପରିବାରର ପ୍ରମୁଖ ଭୂମିକା ରହିଆସିଛି । ଦେଶରେ ନିର୍ବାଚିତ ସରକାର ଶାସନରେ ଥିଲେ ସୁଦ୍ଧା ରାଜପରିବାରକୁ ସର୍ବୋଚ୍ଚ ମର୍ଯ୍ୟାଦାସମ୍ପନ୍ନ ଅନୁଷ୍ଠାନ ଭାବେ ଗ୍ରହଣ କରାଯାଏ । ବ୍ରିଟିଶ ସଂସଦର ନିଷ୍ପତ୍ତି ରାଜପରିବାର ଦ୍ବାରା ଅନୁମୋଦିତ ହେବା ପରେ ଏହା ଆଇନର ସ୍ବୀକୃତି ପାଇଥାଏ । ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ସହ ତୂଳନାତ୍ମକ ଭାବେ ଦେଖିଲେ ବ୍ରିଟିଶ ରାଜପରିବାର ଓ ରାଜା କିମ୍ବା ମହାରାଣୀ ରାଷ୍ଟ୍ରପତିଙ୍କ ଭୂମିକା ନିର୍ବାହ କରନ୍ତି । ରାଜା ଚାର୍ଲ୍ସ-ତୃତୀୟ ରାଜା ଭାବେ ଘୋଷିତ ହେବା ପରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଶପଥ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ