ୱାଶିଂଟନ: ଆମେରିକାରେ ପୁଣିଥରେ ହିନ୍ଦୁ ମନ୍ଦିରକୁ ବିରୂପ କରାଯାଇଛି । ସନ୍ଦିଗ୍ଧ ଖଲିସ୍ତାନୀ ସମର୍ଥକମାନେ କାର୍ଲିଫର୍ଣ୍ଣିଆ ନେୱର୍କ ସହରରେ ଥିବା ଶ୍ରୀ ସ୍ବାମୀନାରାୟଣ ମନ୍ଦିର କାନ୍ଥରେ ଭାରତ ବିରୋଧି ଏବଂ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ ଲେଖି ଏହାକୁ ବିରୂପ କରିଛନ୍ତି । ଗତ ଗୁରୁବାର ରାତିରେ ଏହି ଘଟଣା ଘଟିଥିଲା । ହିନ୍ଦୁ ଆମେରିକୀୟ ଫାଉଣ୍ଡସେନ ସୋସିଆଲ ମିଡିଆ ଏକ୍ସରେ ଏହାର ଫଟୋ ସେୟାର କରିଛି । ଏହି ଘଟଣାକୁ ସାନ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିବା ବେଳେ ନେୱାର୍କ ପୋଲିସ ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁ ଆମେରିକୀୟ ଫାଉଣ୍ଡସେନ ପକ୍ଷରୁ ସେୟାର ଫଟୋରେ ସ୍ବାମୀନାରାୟଣ ମନ୍ଦିର କାନ୍ଥରେ ସ୍ଲୋଗାନ ଲେଖାଥିବା ଦେଖିବାକୁ ମିଳିଛି । କାନ୍ଥରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କାଳିରେ କେତେଗୁଡିଏ ସ୍ଲୋଗାନ ଲେଖାଯାଇଛି । ଏହି ମାମଲାକୁ ଘୃଣ୍ୟ ଅପରାଧ ଭାବେ ବିଚାର କରି ତଦନ୍ତ କରାଯିବ ଉଚିତ୍ ବୋଲି ଦାବି କରିଛି ଫାଉଣ୍ଡେସନ । ଏ ସମ୍ପର୍କରେ ନେୱର୍କ ପୋଲିସ ଏବଂ ଜଷ୍ଟିସ୍ ସିଲିଭ ରାଇଟସ୍ ଡିଭିଜନ ଡିପାର୍ଟମେଣ୍ଟରେ ଅଭିଯୋଗ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଭାରତୀୟ ଦୂତାବାସରେ ନିଆଁ ଲଗାଇଲେ ଖଲିସ୍ତାନୀ ସମର୍ଥକ
ମନ୍ଦିର ପ୍ରଶାସନର ମୁଖପାତ୍ର ଭାର୍ଗବ ରାଭଲ କହିଛନ୍ତି, ''ଘଟଣା ଗୁରୁବାର ରାତିର । ସ୍ବାମୀନାରାୟଣ ମନ୍ଦିର ପାଖରେ ରହୁଥିବା ଜଣେ ଶ୍ରଦ୍ଧାଳୁ ପ୍ରଥମେ ମନ୍ଦିର କାନ୍ଥରେ ସ୍ଲୋଗାନ ଲେଖାଥିବାର ଦେଖିଥିଲେ । ସେ ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଅବଗତ କରିଥିଲେ । ବିରୂପ କାନ୍ଥ ଦେଖି ମନ୍ଦିର ପ୍ରଶାସନ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ନେୱାର୍କ ପୋଲିସ ନିକଟରେ ଅଭିଯୋଗ କରାଯିବା ପରେ ଘଟଣାର ଛାନଭିନ କରାଯାଇଛି ।'' କିଛି ଖଲିସ୍ତାନୀ ସମର୍ଥକ ହିଁ ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି ।
ଭାରତୀୟ ଦୂତାବାସ ଏହି ଘଟଣାକୁ ଦୃଢ ଭାବରେ ନିନ୍ଦା କରି ଏକ୍ସରେ ଲେଖିଛି, ''ଭାରତ ବିରୋଧୀ ସ୍ଲୋଗାନ ଲେଖି କାର୍ଲିଫର୍ଣ୍ଣିଆର ଶ୍ରୀ ସ୍ବାମୀନାରାଣୟ ମନ୍ଦିର ବିରୂପ କରାଯିବା ଘଟଣାର ଆମେ କଡ଼ା ନିନ୍ଦା କରୁଛୁ । ଏହି ଘଟଣା ଭାରତୀୟ ସମୁଦାୟଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି । ଏହାର ଶୀଘ୍ର ତଦନ୍ତ କରାଯାଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଆମେରିକା କର୍ତ୍ତୃପକ୍ଷଙ୍କୁ ଦାବି କରିଛୁ ।''
ଆମେରିକାରେ ହିନ୍ଦୁ ମନ୍ଦିର ବିରୂପ କରାଯିବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକ ଥର ଏଠାରେ ଏବଂ କାନାଡାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ହୋଇଛି । ତେବେ ଆମେରିକାରେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁକୁ ହତ୍ୟା କରିବାକୁ ଜଣେ ଭାରତୀୟ ନାଗରିକ ଷଡଯନ୍ତ୍ର କରୁଥିବା ଆମେରିକା ନ୍ୟାୟ ବିଭାଗ ଅଭିଯୋଗ କରିବା ପରେ ସେଠାରେ ହିନ୍ଦୁ ମନ୍ଦିର ବିରୂପ କରାଯାଇଛି ।