ପ୍ୟାରିସ: ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଗାବ୍ରିଏଲ ଅଟ୍ଟଲ । ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରୋନ ମଙ୍ଗଳବାର ଶିକ୍ଷାମନ୍ତ୍ରୀ ଗାବ୍ରିଏଲ ଅଟ୍ଟଲଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । 34 ବର୍ଷୀୟ ଗାବ୍ରିଏଲ ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ (ଗେ) ଓ ଆଧୁନିକ ଫ୍ରାନ୍ସ ଇତିହାସରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପ୍ରଧାନମନ୍ତ୍ରୀ ପଦରୁ 62 ବର୍ଷୀୟା ଏଲିଜାବେଥ ବୋର୍ନଙ୍କ ଇସ୍ତଫାକୁ ମାକ୍ରୋନ ସୋମବାର ଗ୍ରହଣ କରିବା ପରେ ମଙ୍ଗଳବାର ଗାବ୍ରିଏଲ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
ପ୍ୟାରିସରେ ଆଗାମୀ ଦିନରେ ଅଲିମ୍ପିକ୍ସ ଏବଂ ୟୁରୋପୀୟ ସଂସଦର ନିର୍ବାଚନ ହେବାର ଅଛି । ଏହାପୂର୍ବରୁ ଇମ୍ମାନୁଏଲ ମାକ୍ରୋନଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ମାକ୍ରୋନ ଏନେଇ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରିଛନ୍ତି । ସେ ଫ୍ରେଞ୍ଚ ଭାଷାରେ ଲେଖିଛନ୍ତି, ''ପ୍ରିୟ ଗ୍ରାବିଏଲ ଅଟ୍ଟଲ ମୁଁ ଆପଣଙ୍କ ଉପରେ ଭରସା କରିପାରିବି ।''
ଏହାମଧ୍ୟ ପଢନ୍ତୁ... ଫ୍ରାନ୍ସରେ ରାଜନୈତିକ ଅସ୍ଥିରତା, ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ଦେଲେ ଇସ୍ତଫା
ଗ୍ରାବିଏଲ ଅଟ୍ଟଲ ସୋସିଆଲିଷ୍ଟ ପାର୍ଟିର ସଦସ୍ୟ ଅଟନ୍ତି । ସେ 2020ରୁ 2022 ପର୍ଯ୍ୟନ୍ତ ସରକାରଙ୍କ ମୁଖପାତ୍ର ଥିଲେ । ଏହାପରେ ଜୁଲାଇ 2023ରେ ଶିକ୍ଷାମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ । ଏହାପୂର୍ବରୁ ସେ ବଜେଟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ଫ୍ରାନ୍ସର କିଛି ଜନମତ ସର୍ଭେ ଅନୁଯାୟୀ, ବୋର୍ନଙ୍କ ଟିମରେ ସବୁଠୁ ବେଶୀ ଲୋକପ୍ରିୟ ଗାବ୍ରିଏଲ ଅଟ୍ଟଲ ଅଟନ୍ତି । ସେ ଫ୍ରାନ୍ସ ସ୍କୁଲଗୁଡିକରେ ହିଜାବ ପରିଧାନକୁ ବ୍ୟାନ କରିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଗାବ୍ରିଏଲ ।
ଗାବ୍ରିଏଲ ସମଲିଙ୍ଗୀ ହେବା ନେଇ ନିଜେ ଘୋଷଣା କରିଥିଲେ । ତାଙ୍କ ଆଇନଗତ ପାର୍ଟନର ମଧ୍ୟ ଜଣେ ରାଜନେତା ଅଟନ୍ତି । ଅନ୍ୟପଟେ ଚଳିତ ବର୍ଷ ଜୁନ ମାସରେ ୟୁରୋପୀୟ ସଂସଦ ନିର୍ବାଚନ ତାଙ୍କ ପାଇଁ ବଡ ଚାଲେଞ୍ଜ ଅଟେ । ଏହି ନିର୍ବାଚନରେ ଫ୍ରାନ୍ସ ସରକାରର ନେତୃତ୍ବ ନେବେ ଗାବ୍ରିଏଲ ।
ଜାନୁଆରୀ 8 ତାରିଖ ଦିନ ଏଲିଜାବେଥ ବୋର୍ନଙ୍କ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଫ୍ରାନ୍ସରେ ରାଜନୈତିକ ଅସ୍ଥିରତା ନେଇ ଚର୍ଚ୍ଚା ଜୋର ଧରିଥିଲା । 2022ରେ ସେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ମାତ୍ର 2 ବର୍ଷ ନ ହେଉଣୁ ଇସ୍ତଫା ଦେଇଥିଲେ । ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ମାକ୍ରୋନ ଦଳକୁ ବଦଳାଇବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା ମଧ୍ୟରେ ପଦବୀରୁ ଇସ୍ତଫା ଦେଇଥିଲେ ଏଲିଜାବେଥ ବୋର୍ନ । ଏଲିଜାବେଥ ଦେଶର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ଥିଲେ ।