କଲମ୍ବୋ: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ନାଗରିକଙ୍କ ପାଇଁ ଆସିଲା ଆଶ୍ବସ୍ତିକର ଖବର । ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି । ଦୁଇ ସପ୍ତାହ ପରେ ଗତକାଲି(ଶନିବାର) ଜରୁରୀକାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କଲେ ଶ୍ରୀଲଙ୍କା ସରକାର(Sri Lanka president lifted emergency) । ଏନେଇ ଶନିବାର ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଅନୁସାରେ ଗତ ମେ ୬ ତାରିଖରେ ଦେଶରେ ବିଗୁଡୁଥିବା ସ୍ଥିତିକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ (Gotabaya Rajapaksa) ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ(Sri Lanka President declares state of emergency)। ଗୋଟାବାୟା ଗୋଟିଏ ମାସରେ ଦୁଇଥର ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ।
ଖାଦ୍ୟ, ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ। ଏହି ଆର୍ଥିକ ସଙ୍କଟ ପାଇଁ ସେମାନେ ଶ୍ରୀଲଙ୍କା ସରକାରଙ୍କୁ ଦାୟୀ କରିଛନ୍ତି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇ ସହ ହିଂସା ଘଟିଥିଲା । ଏହକୁ ଦେଖି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଏହାପରେ ମେ ୯ ତାରିଖରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ବାଧ୍ୟହୋଇ ଇସ୍ତଫା ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: Sri Lanka Crisis: ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି
ଶ୍ରୀଲଙ୍କାରେ ସରକାରଙ୍କ ସମର୍ଥକ ଏବଂ ବିରୋଧୀଙ୍କ ପ୍ରଦର୍ଶନ ବେଳେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଶହରୁ ଅଧିକ ଏଥିରେ ଆହତ ହୋଇଛନ୍ତି । 1948 ମସିହାରେ ଶ୍ରୀଲଙ୍କା ସ୍ବାଧୀନ ହେବା ପରଠାରୁ ବର୍ତ୍ତମାନ ଶ୍ରୀଲଙ୍କା ସବୁଠୁ ଖରାପ ସ୍ଥିତି ମଧ୍ୟ ଦେଇ ଗତି କରୁଛି । ସାଧାରଣ ଲୋକଙ୍କୁ ଔଷଧ, ତେଳ ଭଳି ଜରୁରୀ ଜିନିଷ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଦେଶରେ ମହଙ୍ଗାସ୍ଥିତି ଲୋକଙ୍କ ଉପରେ ଏହିଭଳି ପ୍ରଭାବ ପକାଇଛି ଯେ ଦେଶର ମୁଦ୍ରାସ୍ଫିତି ହାର ୪୦ ପ୍ରତିଶତ ବଢିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ