ବେଜିଂ: ଚୀନରେ ଏକ ପର୍ବତରେ ଭୂସ୍ଖଳନ ହେବା ଫଳରେ 14 ଜଣଙ୍କ ମୃତ୍ୟୁ ହୋଇଥବା ସୂଚନା ସାମ୍ନାକୁ ଆସିଛି । ଅଘଟଣରେ ଅନ୍ୟ 5 ଜଣ ମଧ୍ୟ ନିଖୋଜ ରହିଛନ୍ତି । ଉଦ୍ଧାର ଅପରେସନ ଜାରି ରହିଛି । ଚୀନର ଦକ୍ଷିଣ-ପଶ୍ଚିମ ରାଜ୍ୟ ସିଚୁଆନରେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ ପ୍ରକାଶ କରିଛି ।
ସୂଚନା ଅନୁସାରେ, ଚୀନ ସରକାରଙ୍କ ଅଧୀନରେ ଥିବା ଫରେଷ୍ଟ ଫାର୍ମରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ସକାଳ ପ୍ରାୟ 6 ଟାରେ ଏହି ଅଘଟଣ ଘଟିଛି । ଫରେଷ୍ଟ ଫାର୍ମର ଏକାଧିକ କର୍ମଚାରୀ ଓ ଅନ୍ୟ କିଛି ସାଧାରଣ ଜନତା ଥିବା ମଧ୍ୟ କୁହାଯାଉଛି । ସୂଚନା ପାଇଁ ଏକାଧିକ ରେସକ୍ୟୁ ୟୁନିଟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏବେ ସୁଦ୍ଧା ମୋଟ 14 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ସହ ସେମାନଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ଅନ୍ୟ 5 ନିଖୋଜଙ୍କୁ ଠାବ କରିବା ପାଇଁ ଅପରେସନ ଜାରି ରହିଛି । 180 ଉଦ୍ଧାରକାରୀ ଟିମ ମେମ୍ବର ଏହି ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଛନ୍ତି । ମାଟି ତଳେ ମୃତଦେହ ଓ ଅନ୍ୟ ସାମଗ୍ରୀ ଠାବ କରିବା ପାଇଁ ଏକାଧିକ ମେସିନର ବ୍ୟବହାର ମଧ୍ୟ କରାଯାଉଛି ।
ସ୍ଥାନୀୟ ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପର୍ବତର କିଛି ଅଂଶ ଧସିପଡିବାରୁ ସରକାରୀ ଫରେଷ୍ଟ ଫାର୍ମରେ ଥିବା ହଷ୍ଟେଲ, ଅଫିସ ଓ ଅନ୍ୟ ବିଲ୍ଡିଂ ପୋତି ହୋଇପଡିଥିଲା । ସେଥିରେ ଏକାଧିକ ଲୋକେ ଚାପି ହୋଇଯାଇଥିଲେ । ଏହି ସରକାରୀ ଫାର୍ମ ଫରେଷ୍ଟରେ ଚୀନର ବିଭିନ୍ନ ପ୍ରାନ୍ତର ବାସିନ୍ଦା ଥିଲେ । ସୂଚନା ପାଇଁ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । କେଇ ଘଣ୍ଟାର ଅପରେସନ ପରେ ଗୋଟିଏ ପରେ ଗୋଟିଏ ମୋଟ 14 ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ସମ୍ପର୍କରେ କୌଣସି ସବିଶେଷ ତଥ୍ୟ ଚୀନ ଗଣମାଧ୍ୟମ ପ୍ରକାଶ କରିନାହିଁ । ଏହି ଅଘଟଣରେ ମୋଟ କେତେ ଲୋକ ମୃତାହତ ହୋଇଛନ୍ତି, ତାହା ମଧ୍ୟ ଚୀନ ସରକାର ସ୍ପଷ୍ଟ କରୁନାହାନ୍ତି । ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ଯଥେଷ୍ଟ ରହିଛି । ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ବର୍ଷା ଲାହି ରହିଥିଲା । ସେହି କାରଣରୁ ଏହି ଭୂସ୍ଖଳନ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ସହ ଭୂବିଜ୍ଞାନ ବିଶେଷଜ୍ଞମାନେ ଭୂସ୍ଖଳନର କାରଣ ସମ୍ପର୍କରେ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ