ଢାକା: ଭୋଟ୍ ଦେଉଛି ବାଂଲାଦେଶ । ଆଜି (ରବିବାର) ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । କଡ଼ା ସୁରକ୍ଷା ମଧ୍ୟରେ ସକାଳ 8ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 5ଟା ଯାଏ ଜାରି ରହିବ । ଜାନୁଆରୀ 8 ତାରିଖ ଦିନ ପ୍ରକାଶ ପାଇବ ଫଳାଫଳ । ତେବେ ଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବେ ବୋଲି ଦାବି କରୁଥିବା ବେଳେ ମୁଖ୍ୟ ବିରୋଧି ଦଳ ବାଂଲାଦେଶ ନେସନାଲିଷ୍ଟ ପାର୍ଟି(ବିଏନପି) ନିର୍ବାଚନକୁ ବୟକଟ କରିଛିି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ 14ଟି ମତଦାନ କେନ୍ଦ୍ର ଓ 2 ସ୍କୁଲରେ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ ।
ବାଂଲାଦେଶ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଦେଶର 300ଟି ନିର୍ବାଚନ କ୍ଷେତ୍ରରୁ 299ଟି କ୍ଷେତ୍ର ପାଇଁ ଭୋଟ ଗ୍ରହଣ ଜାରି ରହିଛି । 42 ହଜାରରୁ ଊର୍ଦ୍ଧ୍ବ ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟିଂ ଚାଲିଛି । ଏହି ନିର୍ବାଚନରେ 27 ରାଜନୈତିକ ଦଳର 15 ଶହରୁ ଊର୍ଦ୍ଧ୍ବ ଆଶାୟୀ ପ୍ରାର୍ଥୀ ଏବଂ 436 ଜଣ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ପାଖାପାଖି 11 କୋଟି 96 ଲକ୍ଷ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ବିରୋଧୀ ଦଳର ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ମୁଖ୍ୟ ବିରୋଧି ଦଳର ନିର୍ବାଚନ ବୟକଟ ଯୋଗୁଁ ଶେଖ ହସିନାଙ୍କ ପାର୍ଟି ପୁଣିଥରେ କ୍ଷମତାକୁ ଆସିବା ନେଇ ଅନୁମାନ କରାଯାଉଛି ।
ଏହାମଧ୍ୟ ପଢନ୍ତୁ... ବାଂଲାଦେଶରେ ନିର୍ବାଚନୀ ହିଂସା, ଟ୍ରେନ ଜଳାଇ ଦେବାରୁ 5 ମୃତ
17 କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଏହା ଉପରେ ଭାରତ, ଆମେରିକା ସମେତ ଅନେକ ବଡ ବଡ ଦେଶର ନଜର ରହିଛି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବେ ବୋଲି ପୂର୍ବରୁ ଦୃଢତା ପ୍ରକାଶ କରିଥିବା ବେଳେ ମୁଖ୍ୟ ବିରୋଧି ଦଳ ବାଂଲାଦେଶ ନେସନାଲିଷ୍ଟ ପାର୍ଟି(ବିଏନପି) ନିର୍ବାଚନ ବର୍ଜନ କରିଛି । ଯାହାଫଳରେ ଅନେକ ସ୍ଥାନରେ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି ।
ବିଏନପି ଶନିବାର ଠାରୁ 2 ଦିନିଆ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ନିର୍ବାଚନକୁ ବୟକଟ କରିବା ସହ ଶନିବାର ସକାଳ 6ଟାରୁ ସୋମବାର ସକାଳ 6ଟା ଯାଏ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି । ନିର୍ବାଚନ ନିରପେକ୍ଷ ଓ ବିଶ୍ବାସଯୋଗ୍ୟ ହେଉନଥିବା ଅଭିଯୋଗରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି ।
ସେପଟେ ନିର୍ବାଚନ ପୂର୍ବରୁ ବାଂଲାଦେଶର ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟିଛି । ରାଜଧାନୀ ଢାକାରେ ଶୁକ୍ରବାର ଦିନ ଟ୍ରେନରେ ନିଆଁ ଲଗାଇବା ଅଭିଯୋଗରେ ପୋଲିସ ବିଏନପିର 8 ଜଣ କର୍ମୀଙ୍କୁ ଗିରଫ କରିଛି । ଏବେ ଦେଶର 14ଟି ମତଦାନ କେନ୍ଦ୍ର ଓ 2ଟି ସ୍କୁଲରେ ଉପଦ୍ରବକାରୀମାନେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟାରୁ ଶନିବାର ମଧ୍ୟରେ ଏହି ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି ।