ହାଇଦ୍ରାବାଦ: ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଜେଲରେ ଶହେ ଦିନ ପୂରଣ କରିଛନ୍ତି । ପ୍ରାୟ 3 ମାସରୁ ଅଧିକ ସମୟ ହେଲା ଗିରଫ ହୋଇ ଜେଲ୍ରେ ଥିବା ଇମ୍ରାନ ବେଲ୍ ପାଇବାରେ ସକ୍ଷମ ହୋଇପାରି ନାହାନ୍ତି । ତାଙ୍କ ଦଳ ଆଜି ସର୍ବୋଚ୍ଚ କୋର୍ଟରେ ତାଙ୍କ ବେଲ୍ ପାଇଁ ଆବେଦନ ମଧ୍ୟ କରିଛି । ତାଙ୍କ ବିରୋଧରେ ଜାରି ରହିଥିବା ମାମଲା ମିଛ ଓ ତାଙ୍କୁ ତୁରନ୍ତ ବେଲ୍ ପ୍ରଦାନ କରାଯିବା ନେଇ ତାଙ୍କ ଦଳ ପିଟିଆଇ ପାକିସ୍ତାନ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛି ।
କ୍ରିକେଟ ଷ୍ଟାରରୁ ପାକିସ୍ତାନ ରାଜନୀତିରେ ଏଣ୍ଟ୍ରି ମାରି ପ୍ରଧାନମନ୍ତ୍ରୀ ହୋଇସାରିଥିବା 71 ବର୍ଷୀୟ ଏହି ରାଜନେତା ଏବେ ରାଓ୍ବଲପିଣ୍ଡିର ଆଦିଓ୍ବାଲା ଜେଲ୍ରେ ରହିଛନ୍ତି । ଅଗଷ୍ଟ 5 ତାରିଖରେ ତାଙ୍କୁ ଅତି ନାଟକୀୟ ଭାବେ ଗିରଫ କରାଯାଇଥିଲା । ଏହା ପରଠାରୁ ସେ ଜାମିନ ପାଇବାରେ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନାହାନ୍ତି । ତାଙ୍କୁ ସେପ୍ଟେମ୍ବର 26 ତାରିଖରେ ତାଙ୍କୁ ଆଟୋକ ଜିଲ୍ଲା କାରାଗାରରୁ ରାଓ୍ବଲପିଣ୍ଡିକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ସେ ଜେଲରେ 100 ଦିନ ପୂରଣ କରିଛନ୍ତି । ତାଙ୍କ ଗିରଫଦାରୀ ପରେ ତାଙ୍କର ଘନିଷ୍ଠ ସହଯୋଗୀ ତଥା ତାଙ୍କ କ୍ୟାବିନେଟରେ ବିଦେଶ ମନ୍ତ୍ରୀ ଥିବା ଶାହ ମହମ୍ମଦ କ୍ୟୁରେସୀଙ୍କୁ ମଧ୍ୟ ଗିରଫ କରାଯାଇ ସମାନ ଜେଲ୍ରେ ରଖାଯାଇଛି ।
ଆଜି ତାଙ୍କ ନେତୃତ୍ବାଧୀନ ଦଳ ପିଟିଆଇ ପାକିସ୍ତାନ ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଖଲ କରିଛି । ଦଳ ଏକ ପ୍ରେସ ରିଲିଜରେ କହିଛି, ‘‘ଇମ୍ରାନଙ୍କୁ ହତ୍ୟା ଉଦ୍ୟମ ହୋଇଛି । ତାଙ୍କ ଘର ଉପରେ ଆକ୍ରମଣ କରାଯାଇ ଭଙ୍ଗାରୁଜା ମଧ୍ୟ କରାଯାଇଛି । ତାଙ୍କୁ ଅନ୍ୟାୟରେ ଜେଲରେ ରଖାଯାଇଛି । ତଥାପି ସେ ତାଙ୍କ ଆଦର୍ଶରେ ସ୍ଥିର ଅଛନ୍ତି ।’’
ଏବେ ପାକିସ୍ତାନ ରାଜନୀତିରେ ଦୃଶ୍ୟପଟ ବଦଳିବାରେ ଲାଗିଛି । ଇମ୍ରାନ ଜେଲ୍ରୁ ବାହାରି ପାରୁନଥିବା ବେଳେ ଏକାଧିକ ମାମଲାରେ ଛନ୍ଦି ହୋଇ ଲଣ୍ଡନ ପଳାୟନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ମଧ୍ୟ ସ୍ବଦେଶକୁ ଫେରିଛନ୍ତି । ନଓ୍ବାଜଙ୍କ ଦଳ ଏବେ ପାକିସ୍ତାନରେ କ୍ଷମତାରେ ରହିଛି । ତାଙ୍କ ସାନ ଭାଇ ଶେହେଓ୍ବାଜ ସରିଫ ଏବେ ପ୍ରଧାନମନ୍ତ୍ରୀ ରହିଛନ୍ତି । ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଗାଦିଚ୍ୟୁତ ହେବା ପରେ ଶେହେଓ୍ବାଜ ସରିଫ ପ୍ରଧାନମନ୍ତ୍ରୀ ହୋଇଥିଲେ । ଆସନ୍ତାବର୍ଷ (2024) ଫେବୃଆରୀ 8 ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏଥିରେ ନିଜେ ନଓ୍ବାଜ ସରିଫ ନିର୍ବାଚନ ଲଢିବା ନେଇ ଏକପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେଉଛି । ବର୍ତ୍ତମାନ ସ୍ଥିତିରେ ଜେଲ୍ରୁ ମୁକ୍ତ ହୋଇପାରୁନଥିବା ଇମ୍ରାନ ନିର୍ବାଚନ ଲଢ଼ିବା ନେଇ କୌଣସି ସୂଚନା ସ୍ପଷ୍ଟ ହୋଇପାରୁନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ